ରୋଗୀଙ୍କ ଠାରୁ ଲାଞ୍ଚ ନେବା ପଡିଲା ମହଙ୍ଗା
ମୋହନା , ( ଅଂଶୁମାନ ପଣ୍ଡା ) : ଗଜପତି ଜିଲ୍ଲା ମୋହନା ବ୍ଲକରେ ଗତ କିଛି ଦିନ ମଧ୍ୟରେ ଡାକ୍ତରଙ୍କ ବିରୁଦ୍ଧରେ ରୋଗୀମାନେ ବାରମ୍ବାର ଲାଞ୍ଚ ନେଉଥିବା ଅଭିଯୋଗ ଆଣୁଛନ୍ତି । ଗର୍ଭବତୀମା ମାନଙ୍କ ଠାରୁ ପ୍ରସବ ବେଳେ ୨ହଜାର , ବିଷ ପିଇ ଆସିଥିବା ରୋଗୀଙ୍କ ଠାରୁ ୫ହଜାର ଟଙ୍କା ନେଉଥିଲେ ଲେଡି ଡାକ୍ତର ନିର୍ଲପ୍ତା ନାୟକ । ତେବେ ଏହି ଅଭିଯୋଗ ବାରମ୍ବାର ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଜଣାପଡିଛି । ତେବେ ଗତକାଲି ଦିନ ୧୨ଘଣ୍ଟା ସମୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଝିଞ୍ଜିଗୁଡା ପଞ୍ଚାୟତର ଜ୍ୟୋସ୍ନା ନାୟକ ଗର୍ଭ ଚିକିତ୍ସା ପାଇଁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । ସେଠାରେ ଡାକ୍ତର ନିର୍ଲପ୍ତା ଚିକିତ୍ସା କରିବା ପରେ ଜ୍ୟୋସ୍ନା ନାୟକଙ୍କ ସ୍ୱାମୀ ଫିଲିପ ନାୟକଙ୍କୁ ନିଜ ରୁମକୁ ଡାକି ଟଙ୍କା ମାଗିଥିଲେ । ଟଙ୍କା ଅଭାବରୁ ସେ ପ୍ରଥମେ ୫ଶହ ଟଙ୍କା ଦେଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ୨୭ ହଜାର ଟଙ୍କା ମାଗିଥିଲେ । ନିଜ ସ୍ତ୍ରୀ ସହ କଥା ହେବା ପରେ ଫିଲପ ୨୭ହଜାର ଟଙ୍କା କରଜ ଆଣି ଡାକ୍ତରଙ୍କୁ ଦେଇଥିଲେ । ତେବେ ରେଜଷ୍ଟ୍ରସନ ଖାତାରେ ଉକ୍ତ ରୋଗୀଙ୍କ ନାମ ଲେଖା ଯାଇନଥିବାବେଳେ ତାଙ୍କୁ ରାତିର ଖାଇବା ମଧ୍ୟ ଦିଆଯାଇନଥିଲା । ଉକ୍ତ ଘଟଣା ସମ୍ପର୍କରେ ଜାଣିବା ପରେ ଯିବ ପିଢୀ ଜିଲ୍ଲା ଷ୍ଟାଡିଂ କମିଟିର ସଦସ୍ୟ ମନ୍ମଥ ମିଶ୍ର ଘଟଣାକୁ ଲୋକଲୋଚନକୁ ଆଣିବା ପରେ ଅଡବା ଜୋନ ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଲ୍ଲିକ , ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶୀଧର ଖୋସଲା ଘଟଣଆସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ଘଟଣାର ସତ୍ୟତା ଜାଣିବା ପରେ ଏସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଦର ଅଧିକାରୀ ରୁନୁ ରାଣୀ ପଟ୍ଟନାୟକଙ୍କୁ ଜଣାଇଥିଲେ । ଘଟଣାସମ୍ପର୍କରେ ଅବଗତ ହେବା ପରେ ଡାକ୍ତରାଣୀଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଦଳି କରିବା ସହ ଘଟଣାର ତଦନ୍ତ ନିମନ୍ତେ ଏକ ଟିମ ଗଠନ କରାଯିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୁଚନା ଦେଇଛନ୍ତି ।


