୪୭ବର୍ଷ ଧରି ଚାଟଶାଳୀ ଶିକ୍ଷା ଜାରି ରଖିଛନ୍ତି ଜଗବନ୍ଧୁ
ହାଟଡିହି, (ବିକାଶ ବିଶ୍ୱାଳ):ଆଜି ସାରା ବିଶ୍ୱ ପାଳୁଛି ଗୁରୁ ଦିବସ । ଆଜି ଆମେ ଏପରି ଜଣେ ଗୁରୁଙ୍କ ବାବଦରେ ଉପସ୍ଥାପନା କରୁଛୁ ଯେ ସିଏ କେଉଁ ସ୍କୁଲରେ ସରକାରୀ ଭାବେ ଚାକିରି କରିନଥିଲେ ମଧ୍ୟ ୪୭ବର୍ଷ ଧରି ଜାରିରଖିଛନ୍ତି ଶିକ୍ଷାଦାନ । ପରିଣତ ବୟସରେ ଉପନୀତ ହୋଇଥିଲେବି ସେ ଶିକ୍ଷାଦାନକୁ ନିଜର ବୃତ୍ତି ଭାବେ ଗ୍ରହଣ କରିନେଇଛନ୍ତି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ପଞ୍ଚାୟତ ଆଗିରିଆ ଗ୍ରାମର ଜଗବନ୍ଧୁ ମହାପାତ୍ର । ପିଳାବେଳେ ଘରେ ଚାଷବାେ କରି ଚଳୁଥିବାବେଳେ ୧୯ବର୍ଷ ବୟସରେ ବିରିଡି ଗ୍ରାମରେ ଚାଟଶାଳୀ ଶିକ୍ଷା ଦେବା ଆରମ୍ଭ କରିତôଲେ । ପ୍ରଥମେ ପ୍ରଥମେ ୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷା ଦାନ ଆରମ୍ଭ କରିଥିବାବେଳେ ଧିରେ ଧିରେ ତାହା ବୃଦ୍ଧି ପାଇଥିଲା । ଏପରିକି ୨୦ରୁ ୩୦ପିଲା ସକାଳେ ସନ୍ଧ୍ୟାବେଳେ ଆସି ଶିକ୍ଷାଗ୍ରହଣ କରୁଥିଲେ । କିଏ ୧୫ଟଙ୍କା ତ ଆଉ କିଏ ୨୦ଟଙ୍କା ଦେଉତôଲା । ଏପରିକି ଅନେକ ଅଭିଭାବକ ମଧ୍ୟ ଗରିବି କାରଣରୁ ପାରିଶ୍ରମିକ ଦେଇ ପାରୁ ନଥିଲେ । ଇତି ମଧ୍ୟରେ ତାଙ୍କ ଚାଟଶାଳୀ ଶିକ୍ଷାଦାନକୁ ୪୭ବର୍ଷ ବିତିଥିବାବେଳେ ଏବେବି ପରିଣତ ବୟସରେ ଜାରି ରଖିଛନ୍ତି । ଏବେ ସେ ଆବୁଲୁପୁରା ଓ ବିରିଡି ଗ୍ରାମରେ ଦୁଇଟି ଚାଟଶାଳୀ ଚଲାଇ ଆସୁଛନ୍ତି । ସେ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମାନଙ୍କୁ ଶିକ୍ଷାଦାନ ଦେଇ ଆସୁଛନ୍ତି । ତାଙ୍କ କହିବାକଥା ଯେ ଏବେ ତାଙ୍କର ଅନେକ ଛାତ୍ର ବଡ ବଡ ପଦ ପଦବୀରେ ଅଧିଷ୍ଠିତ ଅଛନ୍ତି । କିଏ ଶିକ୍ଷକ ହୋଇଛି ତ ଆଉ କିଏ ଡାକ୍ତର ଓ ଆଉ କିଏ ପୁଲିସ ଅଫିସର । ଏମିତି କି ଅନେକ ଭଲ ମଣିଷ ମଧ୍ୟ ଗଢ଼ି ତୋଳିଛନ୍ତି । ଯେଉଁଥି ପାଇଁ ଆଜି ସେ ଗର୍ବିତ ବୋଲି କହିଛନ୍ତି । ପରିବାର କହିଲେ ତାଙ୍କ ପୁଅ ବୋହୁ ଓ ନାତି ନାତୁଣି ଅଛନ୍ତି । ଏହି ଚାଟଶାଳୀ କରି ଯାହାବି ପାଆନ୍ତି ସେଥିରେ ନିଜେ ଚଳିବା ସହିତ ପରିବାର ଚଳିବାପାଇଁ କିଛି ପଠାଇଥାନ୍ତି ।


