ଭୋଟର ପଞ୍ଜିକରଣ ସଚେତନତା ସୃଷ୍ଟି ନିମନ୍ତେ ପଥୋତ୍ସବ

ବାଲେଶ୍ବର, (ସରୋଜ ପଣ୍ଡା) : ଭୋଟର ତାଲିକାରେ ନାମ ପଞ୍ଜିକରଣ,୧୮ ବର୍ଷ ସମ୍ପୂର୍ଣ୍ଣ ହେଉଥିବା ନୂତନ ଭୋଟରଙ୍କ ନାମ ଯୋଗ, ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଆଦି ଉପରେ ସଚେତନତା ସୃଷ୍ଟି ନିମନ୍ତେ ରାଜ୍ୟ ସରକାର ଆସନ୍ତା ୨୮.୧୦.୨୦୨୩ ତାରିଖରେ ସମଗ୍ର ରାଜ୍ୟରେ ପଥୋତ୍ସବ ଓ ୱାକାଥନ ଆୟୋଜନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆସନ୍ତା ୨୮.୧୦.୨୦୨୩ ତାରିଖ ସକାଳ ୬ ଘଟିକା ଠାରୁ ୧୦ ଘଟିକା ପର୍ଯ୍ୟନ୍ତ ଏହି ପଥୋତ୍ସବ ଓ ୱାକାଥନ ଆୟୋଜନ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ହୋଇଛି।ପ୍ରକାଶ ଥାଉକି ଆସନ୍ତା ୨୭.୧୦.୨୦୨୩ ତାରିଖ ଦିନ ଚିଠା ଭୋଟର ତାଲିକା ପ୍ରକାଶ ପାଇବା ଉପରାନ୍ତେ ଏହାର ସଂଶୋଧନ, ନୂତନ ନାମ ଯୋଗ, ସ୍ଵତନ୍ତ୍ର ଅଭିଯାନ ଆଦି କାର୍ଯ୍ୟକ୍ରମ ଆସନ୍ତା ଡ଼ିସେମ୍ବର ୯ ତାରିଖ ପର୍ଯ୍ୟନ୍ତ କରାଯାଇ ଏକ ନିର୍ଭୁଲ ଭୋଟର ତାଲିକା ପ୍ରକାଶ କରାଯିବାର ପ୍ରୟାସରେ ସଚେତନତା ସୃଷ୍ଟି ପାଇଁ ଏହି ପଥୋତ୍ସବ ଓ ୱାକାଥନର ଆୟୋଜନ କରାଯାଉଛି। ୱାକାଥନଟି ସକାଳ ୬ ଘଟିକାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଗାନ୍ଧୀ ସ୍ମୃତି ଭବନ ପର୍ଯ୍ୟନ୍ତ ଚାଲିବ। ୱାକାଥନ ର ରାସ୍ତାରେ ଆସୁଥିବା ବିଭିନ୍ନ ଛକ ତଥା ପଥପ୍ରାନ୍ତରେ ନାଟକ,ସଙ୍ଗୀତ,ନୃତ୍ୟ,ରଙ୍ଗୋଲି, ଯୋଗ,ଚିତ୍ରାଙ୍କନ, ଖେଳ କସରତ, ମାର୍ଶାଲ ଆର୍ଟ, ଅନ୍ୟାନ୍ୟ ସାଂସ୍କୃତିକ ବିଚିତ୍ରା ଆଦି ଅନେକ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ସାଂସ୍କୃତିକ ଅନୁଷ୍ଠାନ,ସ୍ବେଚ୍ଛାସେବୀ ଅନୁଷ୍ଠାନ, ଯୁବଗୋଷ୍ଠୀ,କଳାକାର, ସ୍କାଉଟ, ଗାଇଡ, ସିନେ କଳାକାର ଓ ଉତ୍ସାହୀ ଜନତା ଭାଗ ନେବେ। ଏଥି ନିମନ୍ତେ ଆଜି ଅପରାହ୍ନରେ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକଙ୍କ ଅଧ୍ୟକ୍ଷତାରେ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ, ରୋଟାରୀ କ୍ଳବ୍, ଲାଇଅନ୍ସ କ୍ଳବ୍, ଜିଲ୍ଲା ନାରୀ ସଙ୍ଘ, ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ବୈଠକରେ ଡି ଏସ ପି (ଡି ଆଇ ବି) ଶ୍ରୀମତୀ ବ୍ରଜେଶ୍ୱରୀ ବଳ,ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ଗାୟତ୍ରୀ ସୋରେନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନା ମଞ୍ଚାସୀନ ଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ସମଗ୍ର ଜିଲ୍ଲାବାସୀଙ୍କୁ ଏହି କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଯୋଗ ଦେଇ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ଅନୁରୋଧ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ