୪ ଜଣ ମୁଖ୍ୟ ସେବାୟତଙ୍କୁ ଲୋକାର୍ପଣ ଉତ୍ସବରେ ଯୋଗଦେବା ପାଇଁ ଆମନ୍ତ୍ରଣ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆସନ୍ତା ଜାନୁୟାରୀ ୧୭ ତାରିଖ ଦିନ ପୁରୀଠାରେ ଅନୁଷ୍ଠିତ ହେବ। ଏହି ଲୋକାର୍ପଣ ଉତ୍ସବର ଭବ୍ୟ ଆୟୋଜନ ଉଦ୍ଦେଶ୍ୟରେ ସାରା ରାଜ୍ୟର ତଥା ରାଜ୍ୟ ବାହାରର ପ୍ରମୁଖ ଧର୍ମ ପୀଠମାନଙ୍କର ମୁଖ୍ୟ ସେବାୟତମାନଙ୍କୁ ଉତ୍ସବରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଉଛି। ଏହି କ୍ରମରେ ଶ୍ରୀଜଗନ୍ନାଥ ଧାମ ପୁରୀରୁ ସୁଆର ଓ ମହାସୁଆର ସେବକ ରାଜ କିଶୋର ପଣ୍ଡା, ଜଗବନ୍ଧୁ ମହାସୁଆର ଓ ଲୋକନାଥ ଖୁଣ୍ଟିଆ ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ପୁରୀ ଜିଲା ସମାଜ ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି ପ୍ରମୁଖ ଆସି ଫୁଲବାଣୀ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆମ ଜିଲ୍ଲାର ଦୁଇ ମନ୍ଦିରର ୪ ଜଣ ମୁଖ୍ୟ ସେବାୟତଙ୍କୁ ସେହି ଲୋକାର୍ପଣ ଉତ୍ସବରେ ଯୋଗଦେବା ପାଇଁ ଆମନ୍ତ୍ରଣ କରିଛନ୍ତି। ଜଗନ୍ନାଥ ମହାପ୍ରଭୁଙ୍କ ସୁଆର ଓ ମହାସୁଆର ସେବକ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ପକ୍ଷରୁ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ସ୍ଥାନୀୟ ଜଗନ୍ନାଥ ମନ୍ଦିର କମିଟିର ସଭାପତି ଓ ସମ୍ପାଦକଙ୍କ ସମେତ ସମସ୍ତ ସଦସ୍ୟ, ଫୁଲମାଳ ଓ ଉତ୍ତରୀୟ ଦେଇ ଭବ୍ୟ ସ୍ୱାଗତ କରିଥିଲେ। ସେଠାରୁ ଦୁଇଗୋଟି ସଂକୀର୍ତ୍ତନ ମଣ୍ଡଳୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ମନ୍ଦିରରେ ପହଞ୍ଝିବା ପରେ ମନ୍ଦିର କମିଟି ଦ୍ୱାରା ମଧ୍ୟ ସେମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଏଥିରେ ସ୍ଥାନୀୟ ଜନସାଧାରଣ, ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ