ନିଅଣ୍ଟିଆ ବର୍ଷା ଓ ଚାଷଜମି ଜଳ ସେଚନ ସମ୍ବନ୍ଧେ ଜିଲ୍ଲାପାଳଙ୍କ ଆଭାସୀ ବୈଠକ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଚାଷୀକୂଳ ପାଇଁ ଏକ ଗମ୍ଭୀର ବିଷୟ ହୋଇ ରହିଥିବା ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ଆଶୀଷ ଠାକରେଙ୍କ ତତ୍ତ୍ୱାବଧାନରେ ସମସ୍ତ ଲାଇନ ବିଭାଗର ଅଧିକାରୀମାନଙ୍କ ସହିତ ଆଜି ଅପରାହ୍ନ ଘ. ୪.୩୦ ମି ସମୟରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାରେ ସମସ୍ତ ଚାଷୀମାନଙ୍କ ସାମଗ୍ରିକ ବିକାଶର ଆଭିମୁଖ୍ୟ ଆଧାର କରି ଅଧିକାରୀମାନଙ୍କୁ ସେମାନଙ୍କ ସମସ୍ତ ଦାୟିତ୍ୱକୁ ସଠିକ ଭାବରେ ପାଳନ କରିବା ସହିତ ନିଜ ନିଜ ଅଞ୍ଚଳର ଚାଷୀମାନଙ୍କୁ ଚାଷ ସମ୍ବନ୍ଧୀୟ ସମସ୍ତ ସୁବିଧା ଯୋଗାଇ ଦେବାକୁ ଜିଲ୍ଲାପାଳ କହିଛନ୍ତି। ନିଅଣ୍ଟିଆ ବର୍ଷା ଯୋଗୁଁ ଜଳ ସେଚନରେ କୌଣସି ଅସୁବିଧା ଯେପରି ନହୁଏ ସେଥିପାଇଁ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ଜଳାଶୟ ଗୁଡିକର ଚିହ୍ନଟ ଏବଂ ସେମାନଙ୍କ ପୁନରୁଦ୍ଧାର ସହିତ ବୋରୱେଲ ଜଳ ସେଚନ ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟ ସହିତ ଜଡିତ ପ୍ରତ୍ୟେକ ଅଧିକାରୀ କ୍ଷେତ୍ର ଯାଞ୍ଚ କରିବା ସହିତ କାର୍ଯ୍ୟପ୍ରଣାଳୀକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ପଦକ୍ଷେପ ନେବେ। ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଭୟକୁ ଦୂର କରିବା ପାଇଁ ଜିଲ୍ଲା କୃଷି ଅଧିକାରୀଙ୍କୁ ସମସ୍ତ ପ୍ରକାରର ସଚେତନତା ଅଭିଯାନ ଆରମ୍ଭ କରିବା ଏବଂ ଗାଁ ଗାଁରେ ପ୍ରଶାସନ ନେଉଥିବା କୃଷି-ହିତକର କାର୍ଯ୍ୟକୁ ଜନମାନସରେ ଆଦୃତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନାଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, କୃଷି, ଉଦ୍ୟାନ କୃଷି, ଜଳ ସେଚନ, ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଏହି ବୈଠକରେ ନିଜ ବହୁମୂଲ୍ୟ ମତ ପ୍ରକାଶ କରିଥିଲେ।