ବାଲେଶ୍ଵର ସହରର ଟ୍ରାଫିକ ସମସ୍ଯାକୁ ନେଇ ବିଧାନସଭାରେ ସଦର ବିଧାୟକଙ୍କ ପ୍ରଶ୍ନ
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଫୋକସରେ ରହିଛି ବାଲେଶ୍ୱର ପୌରପାଳିକା । ପୌରାଂଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷରେ ସରକାରଙ୍କ ଗ୍ରାଂଟ-ଇନ-ଏଡ ଏବଂ ଅନ୍ୟାନ୍ୟ ଯୋଜନାରେ ୪୪କୋଟି ୧୬ଲକ୍ଷ ୫୫ହଜାର ଟଙ୍କା ପ୍ରଦାନ କରାଯିବ । ଚଳିତ ଆର୍ଥିକ ବର୍ଷରେ ବାଲେଶ୍ୱର ପୌର ପରିଷଦ ପକ୍ଷରୁ ପ୍ରସ୍ତାବିତ ହୋଇଥିବା ୱାର୍ଡସ୍ତରୀୟ ବିଭିନ୍ନ ପ୍ରକଳ୍ପକୁ ଦୃଷ୍ଟିରେ ରଖି ଏହି ଅନୁଦାନ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିବା ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି । ମଙ୍ଗଳବାର ବିଧାନସଭାର ପ୍ରଶ୍ନକାଳରେ ସଦର ବିଧାୟକ ମାନସ କୁମାର ଦତ୍ତ ବାଲେଶ୍ୱର ପୌରପାଳିକା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ ହେବାକୁ ଥିବା ଅନୁଦାନ ସମ୍ପର୍କରେ ପ୍ରଶ୍ନ ଉତଥାପନ କରିଥିଲେ । ଏହା ସହିତ କେଉଁ ଯୋଜନାରେ କେତେ ଅର୍ଥ ଅନୁଦାନ ପ୍ରସ୍ତାବିତ ହୋଇଥିବା ସେ ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ବିଧାୟକ ଶ୍ରୀ ଦତ୍ତ ଅନୁରୋଧ କରିଥିଲେ । ଏହା ସହିତ ବାଲେଶ୍ୱର ସହରରେ ଜଟିଳ ହେଉଥିବା ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଅନୁନ୍ୟ ଦୁଇଟି ମଲଟି ଲେଭେଲ ପାର୍କିଂ ସେଂଟର ଆବଶ୍ୟକ ଥିବା ବେଳେ ଏଥି ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ କୌଣସି ପ୍ରସ୍ତାବ ଥିବା ବାବଦରେ ସେ ଜାଣିବାକୁ ଚାହିଁଥିଲେ । ଏ ଦିଗରେ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ପୌର ସଂସ୍ଥାକୁ ନିର୍ଦ୍ଦେଶ ଦେବେ କି ବୋଲି ବିଧାୟକ ଶ୍ରୀ ଦତ୍ତ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ ମନ୍ତ୍ରୀ ଡକ୍ଟର ମହାପାତ୍ର କହିଥିଲେ ଯେ, ବାଲେଶ୍ୱର ସହରର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଜନଗହଳି ଅଂଚଳରେ ବହୁତଳ ବିଶିଷ୍ଟ ପାର୍କିଂ ସେଂଟର ନିର୍ମାଣ ନେଇ ରାଜ୍ୟ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ବା ଯୋଜନା ନାହିଁ । ମାତ୍ର ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୌର ସଂସ୍ଥା ମଲଟି ଲେଭେଲ ପାର୍କିଂ ସେଂଟର ନିର୍ମାଣ ପାଇଁ ନିଷ୍ପତ୍ତି ନେଇ ପାରିବେ । ତେବେ ପୌର ପରିଷଦ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରସ୍ତାବ ଦିଆଗଲେ ସରକାର ଏ ବାବଦରେ କୌଣସି ପ୍ରକାର ଅନୁଦାନ ପ୍ରଦାନ ନେଇ ବିଚାର କରିବେ ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର ସୂଚନା ଦେଇଛନ୍ତି ।


