ଗର୍ଭଣା ସଂକ୍ରାନ୍ତି

ସରିଛି ବରଷା କାଳ
ଶରତ ହେମନ୍ତ ଚନ୍ଦ୍ର ନିର୍ମଳ
ବଉଳ ଲୋ, ଶୀତ ଆସିବ ଭାରି ସଅଳ ।

କ୍ଷେତରେ ହସୁଚି ଧାନ
ଚାଷୀ ଭାଇ ମନ ଭାରି ଉଛନ
ବଉଳ ଲୋ, ହେଲା ଆଶ୍ବିନ କାର୍ତ୍ତିକ ଦିନ ।

ଗର୍ଭଣା ସଂକ୍ରାନ୍ତି ମାସ
ଧାନ ଗର୍ଭବାସ ଖୁସି ପ୍ରକାଶ
ବଉଳ ଲୋ, ଚାଷି ଘରେ ଆନନ୍ଦ ଉଲ୍ଲାସ ।

ଆଗେ ବୁଣୁ ପଛେ ବୁଣୁ
ଗର୍ଭଣାକୁ ଗର୍ଭ ଟୁଣୁ ଟୁଣୁ
ବଉଳ ଲୋ, ଦିନ ଗଡିଯାଏ ଗଣୁ ଗଣୁ ।

ଘରେ ଘରେ ପିଠା ପଣା
ମା’ ଲକ୍ଷ୍ମୀଙ୍କୁ କରି ପୂଜା ଅର୍ଚ୍ଚନା
ବଉଳ ଲୋ, “ଗର୍ଭଣା ଖଡା” କ୍ଷେତେ ପୋତିବା ।

ରୋଗ ପୋକ ଉପଦ୍ରବ
“ଗୁଆଳି ଡାଳୁଆ” ସୁରକ୍ଷା ଦେବ
ବଉଳ ଲୋ, ଲୋକ କଥା ଅରିଷ୍ଟି ଖଣ୍ଡିବ ।

“ଗୁଆଳି ଡାଳୁଆ” ପୋତି
ଓଲୁଅ ଗିଳଇ ଚଷା ପୁଅଟି
ବଉଳ ଲୋ,ଏହା ଓଲଗିଳା ସଂକ୍ରାନ୍ତି ।

ଏ ତ ଆମ କୃଷି ପର୍ବ
ଆମ ଚଷା ପୁଅ ଗର୍ବ ଗୌରବ
ବଉଳ ଲୋ, ବାର ମାସରେ ତେର ପରବ।

ଗଦାଧର ସାହୁ,ବ୍ରହ୍ମଗିରି, ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ