ଉତ୍ତର ଓଡ଼ିଶାରୁ ମକ୍କା ଯିବେ ୧୮୪ ଜଣ

ବାଲେଶ୍ୱର, (ସରୋଜ ପଣ୍ଡା):ସାଉଦି ଆରବର ମକ୍କାକୁ ହଜ ପାଇଁ ଉତ୍ତର ଓଡ଼ିଶାରୁ ଯାଉଥିବା ଇସଲାମ ଧର୍ମାବଲମ୍ବୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଏବଂ ଟୀକାକରଣ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଓଡ଼ଶା ରାଜ୍ୟ ହଜ କମିଟି ଓ ବାଲେଶ୍ୱରର ‘ଖୁଦାମୁଲ ହୁଜାଜ କମିଟି’ର ମିଳିତ ସହଯୋଗରେ ସହରର ଭେନିଆ ପାରାଡାଇଜ୍ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ଶିବିରରେ ଅନୁଷ୍ଠାନର ସଭାପତି ହାଜି କମାଲ ଜାଫର ପୌରୋହିତ୍ୟ କରିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ, ପୌରାଧ୍ୟକ୍ଷା ସବିତା ସାହୁ, ‘ରେବତୀ’ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା, ରାଜ୍ୟ ହଜ କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଲତାନ ଖାନ ପ୍ରମୁଖ ଏଥିରେ ଯୋଗ ଦେଇ ହଜ୍ ଯାତ୍ରୀଙ୍କର ମଙ୍ଗଳ ଯାତ୍ରା କାମନା କରିବା ସହିତ ବିଶ୍ୱ ଭାତୃତ୍ୱର ପ୍ରତୀକ ଏହି ଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଶିବିରରେ ସୟଦ ଅବଦୁଲ ସବୁହ ପ୍ରଶିକ୍ଷକ ଓ ଭଦ୍ରକର ସୟଦ ଅବଦୁଲ ମସଜୁଦ ଗାଇଡ ଭାବେ ଯୋଗଦେଇ ହଜ ଯାତ୍ରୀଙ୍କୁ ଯାତ୍ରାର ନିୟମାବଳି ସମ୍ପର୍କରେ ସଚେତନ କରିବା ସହ ହଜ ସମୟରେ ପାଳନ କରାଯାଉଥିବା ବିଭିନ୍ନ ପ୍ରକାର ନୀତି-ନିୟମ ସମ୍ପର୍କରେ ସୂଚନା ଦେଇଥିଲେ । ଖୁଦାମୁଲ ହୁଜାଜ କମିଟିର ସମ୍ପାଦକ ଇନ୍ତେଖାବ ଅଲୀ ଖାଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପ-ସଭାପତି ହାଜି ମଇନୁଲ ଇସଲାମ ଓ ମହମ୍ମଦ ମୁକ୍ତାର ଅହମ୍ବଦଙ୍କ ସମେତ ହାଜି ସେଖ ଅବଦୁଲ ହନ୍ନାନ, ହାଜି ଜହରୁଲ ଇସଲାମ, ହାଜି ଆଲମ ଅଲ୍ଲୀ ଖାଁ ପ୍ରମୁଖ ଯୋଗଦେଇ ହଜ୍ ଯାତ୍ରାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଆଜିମ ବାଲେଶ୍ୱରୀ କୋରାନ ପାଠ ସହ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । ମାଷ୍ଟର ଶେଖ ଆଜାଦ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଖୁଦାମୁଲ ହୁଜାଜ କମିଟିର ଉପ-ସଭାପତି ହାଜି ଶେଖ ଜମାଲ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଚଳିତ ବର୍ଷ ବାଲେଶ୍ୱର ଜିଲାରୁ ୭୪ଜଣ, ଭଦ୍ରକରୁ ୯୦ଜଣ ଓ ମୟୂରଭଞ୍ଜ ଜିଲାରୁ ୨୦ ଜଣଙ୍କୁ ମିଶାଇ ମୋଟ ୧୮୪ ଜଣ ହଜଯାତ୍ରା କରିବାକୁ ଯିବେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରୀମାନେ ମେ ମାସ ୨୧ ତାରିଖରୁ ଜୁନ ୬ତାରିଖ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ମକ୍କା ଅଭିମୁଖେ ଯାତ୍ରା କରିବେ । ଜୁନ ୨୮ ତାରିଖରେ ହଜ୍ କରିବା ପରେ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ ବୋଲି କମିଟି ପକ୍ଷରୁ କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଶେଖ ସରାଫତ ଅଲ୍ଲୀ, ଶେଖ ବିଲାଲୁଦ୍ଦିନ, ଚିରାଗ ଚୌହାନ, ସଲିମ ସୁବାସା, ଅମଜଦ ହୁସେନ ପ୍ରମୁଖ ଆଜିର ଶିବିର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ