ଯୁବନେତାଙ୍କ ପକ୍ଷରୁ ବିଶେଷ ବନ୍ଧୁ ମିଳନ ପର୍ବ

ବାଲେଶ୍ୱର, (ସରୋଜ ପଣ୍ଡା):ଯୁବନେତା ବିକ୍ରମ ପଣ୍ଡାଙ୍କ ପକ୍ଷରୁ ଏକ ବିଶେଷ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଫାଣ୍ଟାସି ହୋଟେଲ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ବହୁ ସଂଖ୍ୟାରେ ସାମ୍ବାଦିକଙ୍କୁ ନେଇ ଆୟୋଜିତ ଏହି ବନ୍ଧୁମିଳନ ପର୍ବରେ ସାମ୍ବାଦିକତା ଓ ସ୍ଥାନୀୟ ବିକାଶ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, କମଳାକାନ୍ତ ପତି, ସାମ୍ବାଦିକ ତଥା ପିସିସି କର୍ମକର୍ତ୍ତା ସତ୍ୟପ୍ରକାଶ ନାୟକ ପ୍ରମୁ୍‌ଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଣ୍ଡାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବାଲେଶ୍ୱରର ବିକାଶ ସାଙ୍ଗକୁ ସାଧାରଣ ଲୋକଙ୍କ ସମସ୍ୟା ସମାଧାନକୁ ସର୍ବଦା ଗୁରୁତ୍ୱ ଦେଇ ଆସୁଥିବା ଶ୍ରୀ ପଣ୍ଡା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି ବୋଲି ଅତିଥିମାନେ ମତ ପ୍ରକାଶ କରିଥଲେ । ଅନ୍ୟପକ୍ଷରେ ଗଣମାଧ୍ୟମ ଓ ସାମ୍ବାଦିକତାର ସାମ୍ପ୍ରତିକ ସ୍ଥିତିକୁ ନେଇ ସେମାନେ ଉଦବେଗ ପ୍ରକାଶ କରିଥିଲେ । ଗଣମାଧ୍ୟମ ଅନୁଷ୍ଠାନଗୁଡ଼ିକ ବ୍ୟବସାୟକୁ ଅଧିକ ଗୁରୁତ୍ୱ ଦେବା ଫଳରେ ସାମ୍ବାଦିକଙ୍କୁ ଚାପରେ ରହି କାର୍ଯ୍ୟ କରିବାକୁ ପଡ଼ୁଛି । ଏହି ଧାରା ଜାରି ରହିଲେ ଆଗାମୀ ଦିନରେ ସାମୂହିକ ସ୍ୱାର୍ଥ ରକ୍ଷାରେ ବାଧା ଉପୁଜିବା ସହିତ ସାମ୍ବାଦିକତା କ୍ଷେତ୍ର ପାଇଁ ବିପଦ ସୃଷ୍ଟି ହେବ ବୋଲି ଅତିଥିମାନେ ଆଶଙ୍କା ପ୍ରକାଶ କରିଥିଲେ । ଶ୍ରୀ ପଣ୍ଡା ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହିତ ବାଲେଶ୍ୱରର ବିକାଶ ପାଇଁ ସବୁ ମହଲରୁ ପ୍ରୟାସ ହେବା ଉଚିତ ବୋଲି କହିଥିଲେ । ବାଲେଶ୍ୱରର ପୌରସଦସ୍ୟା ପ୍ରାର୍ଥିନୀ ତଥା ସମାଜସେବୀ ସାହିବା ଅକ୍ତର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବାଲେଶ୍ୱରର ସାମ୍ବାଦିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ