ଓଡିଆ ଶାସ୍ତ୍ରୀୟ ଭାଷା ମାନ୍ୟତା ଦିବସ ପାଳନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ତରଫରୁ ଭଞ୍ଜନଗର ସ୍ଥିତ ପ୍ରେସ କ୍ଳବ ପରିସରରେ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତିର ସ୍ମୃତି ଚାରଣ ସଭା ସଭାପତି କୃତିବାସ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ଏଥିରେ ସାହିତ୍ୟ ଘରର ସଭ୍ୟ ଓ ସଭ୍ୟାମାନେ ଉପସ୍ଥିତ ରହି ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର କ୍ରମିକ ପର୍ଯ୍ୟାୟ ସହ ଏହାର ଯଥାର୍ଥତା ଓ ଓଡିଆ ଭାଷାର ପ୍ରାଚୀନତା ବିଷୟରେ ଆଲୋଚନା କରିଥିଲେ । ଶାସିତ ଜନଙ୍କ ଭାଷା ଶାସକର ଭାଷା କରିବା ପାଇଁ ବିଭିନ୍ନ ସରକାରୀ ଦପ୍ତର ଆଦିରେ ଓଡିଆ ଭାଷାର ବ୍ୟବହାର ସହ ବିଭିନ୍ନ ଉଚ୍ଚ ଶିକ୍ଷାର ପାଠ୍ୟ ପୁସ୍ତକ ଆଦିକୁ ଓଡିଆରେ ପ୍ରକାଶ ଏବଂ ପ୍ରତିଯୋଗିତା ମୂଳକ ପରୀକ୍ଷାଗୁଡିକ ଓଡିଆ ଭାଷାରେ କରିପାରିଲେ ଏହାର ଶାସ୍ତ୍ରୀୟ ମାନ୍ୟତାକୁ ଯଥାର୍ଥ ସମ୍ମାନ ମିଳିବ ବୋଲି ମତ ପ୍ରକାଶ ପାଇଥିଲା । ଏଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ସରକାର ଙ୍କ ଉପରେ ଚାପ ପକାଇ ଯେତେ ଭାଷା ଶିଖିଲେ ମଧ୍ୟ ନିଜର ମାତୃଭାଷାର ସୁରକ୍ଷା ଓ ସଠିକ ବ୍ୟବହାର ସମସ୍ତଙ୍କ ମୌଳିକ କର୍ତ୍ତବ୍ୟ ବୋଲି ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ସଦସ୍ୟା ପ୍ରଭାତି ମଞ୍ଜରୀ ବେହେରା ଓ କୋଷାଧ୍ୟକ୍ଷ ତ୍ରିନାଥ ବେହେରା ରଚିତ ସନ୍ଦର୍ଭ ପାଠ କରିଥିବା ବେଳେ ସଦସ୍ୟା ସୁଶ୍ରୀ ମୋନାଲିସା ମିଶ୍ର ,ଜୋତ୍ସ୍ନାଦେବୀ ପ୍ରମୁଖ କବିତା ପାଠ କରିଥିଲେ । ଆଲୋଚନାରେ ଅଂଶ ଗ୍ରହଣ କରି ଅଧ୍ୟାପିକା ସୁଜାତା ସିଂ, ନଳୀନି ପ୍ରଭା ଦାସ, ଡକ୍ଟର ଗାୟତ୍ରୀ ସାହୁ, ରୁନୁବାଳା ଦାସ, ଅଧ୍ୟାପକ ଦୁର୍ଗାମାଧବ ଦାସ, ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ, ବରିଷ୍ଠ ସଦସ୍ୟ ପଦ୍ମନାଭ ପ୍ରଧାନ, ଉପଦେଷ୍ଟା ଶୂଳପାଣୀ ଶତପଥୀ, ଉପ ସଭାପତି ନେତାଜୀ ବିଷୋୟୀ, ସଂସ୍କୃତି ଗବେଷକ ସୁରେନ୍ଦ୍ର ଶତପଥୀ, ଗୋପାଳ କୃଷ୍ଣ ଲେଙ୍କା, ସଂଗଠନ ସଂପାଦକ ବିଶ୍ବମ୍ବର ଜେନା , ରବିନାରାୟଣ ମହାନ୍ତି, ଡାକ୍ତର ସିମାଞ୍ଚଳ ପତି, କୁମାର କାର୍ତ୍ତିକେଶ୍ବର ପ୍ରଧାନ ପ୍ରମୁଖ ନିଜ ନିଜ ମତ ରଖିଥିଲେ । କାର୍ଯ୍ୟକ୍ରମକୁ ସଂପାଦକ ସନ୍ତୋଷ ଜେନା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଅଶୋକ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।


