ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ପ୍ରଦ୍ୟୁମ୍ନ ପ୍ରଥମ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷର ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଗଣିଜାଙ୍ଗସ୍ଥିତ ଏକାଡେମିକ୍ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର ପ୍ରଦ୍ୟୁମ୍ନ କୁମାର ରାଉତ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପ୍ରକାଶ ଯେ, ଉକ୍ତ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ୮୦ଟି ସିଟ୍ ପାଇଁ ୪୩୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୮୦ ଜଣ ପିଲାଙ୍କର ମେଧା ତାଲିକା ପ୍ରକାଶ ପାଇଛି । ଗଣିଜାଙ୍ଗସ୍ଥିତ ଏକାଡେମିକ୍ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର ପ୍ରଦ୍ୟୁମ୍ନ ୪୬ ମାର୍କ ରଖି ପ୍ରଥମ, ସେହି ବିଦ୍ୟାଳୟର ଦୀପ୍ତିମୟୀ ନାୟକ ୪୨ ମାର୍କ ରଖି ୨ୟ, ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସୟଦ୍ ଅଫରାଜ ଆଲାମ ୪୧ ମାର୍କ ରଖି ୩ୟ ସ୍ଥାନରେ ରହିଛନ୍ତି । ସେହିପରି ମାଳତୀରାସ୍ଥିତ ମଦ୍ରାସାର ଛାତ୍ର ମୁସ୍ତାଫା ରାଜା ଖାନ୍ ୪୦ ମାର୍କ ରଖି ୪ର୍ଥ ଓ ଓମ୍ ପ୍ରକାଶ ବିଶ୍ୱାଳ, ଆଶୁତୋଷ ଦାଶ, ଆଦ୍ୟାଶା ରାଉତ, ବିଭୁ ପ୍ରସାଦ ବାରିକ ପ୍ରତ୍ୟେକ ୩୯ ମାର୍କ ଲେଖାଏଁ ରଖି ୫ମ ସ୍ଥାନରେ ରହିଛନ୍ତି । ଅପରପକ୍ଷେ ଉକ୍ତ ବିଦ୍ୟାଳୟର ୭ମ ଶ୍ରେଣୀର ଗୋଟିଏ ସିଟ୍ ପାଇଁ ୧୯ ଜଣ, ୮ମ ଶ୍ରେଣୀର ଗୋଟିଏ ସିଟ୍ ପାଇଁ ୨୫ ଜଣ, ୯ମ ଶ୍ରେଣୀର ୪ଟି ସିଟ୍ ପାଇଁ ୩୭ ଜଣ ପିଲା ପରୀକ୍ଷା ଦେଇଥିଲେ ।


