ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ରାସ୍ତାରେ ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟ ରହିଛି । ଉକ୍ତ ବିଦ୍ୟୁତ୍ ଖୁଣ୍ଟର ମୂଳ ଭାଙ୍ଗି ଯାଇ ରାସ୍ତା ଆଡକୁ ଦିନକୁ ଦିନ ଢଳିବାରେ ଲାଗିଛି । ଏହି ରାସ୍ତା ଦେଇ ୧୦ଟି ଗ୍ରାମର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ ଲୋକ ଯାତାୟତ କରୁଥିବା ବେଳେ ପଞ୍ଚାୟତକୁ ପିଡିଏସ୍ ଚାଉଳ, ଭତ୍ତା ପାଇଁ ଲୋକେ ଯାଆସ କରିଥାନ୍ତି । ସେହିଭଳି ଏହି ରାସ୍ତା ଦେଇ ଲୋକ ମାନେ ବ୍ୟାଙ୍କକୁ ଯାଇଥିବା ବେଳେ ପିଲା ମାନେ ସ୍କୁଲକୁ ଯାତାୟତ କରିଥାନ୍ତି । ଏହି ଖୁଣ୍ଟଟି କେତେବେଳେ ଯେ ଭାଙ୍ଗି ଖସି ପଡିବ ତାହା କେହି କହିପାରିବେ ନାହିଁ । ଏହି ବିପଦ ସଙ୍କୁଳ ବିଦ୍ୟୁତ ଖୁଣ୍ଟଟି ଏଭଳି ଅବସ୍ଥାରେ ଥିବା ବେଳେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ନଜର କିପରି ତା ଉପରେ ପଡୁ ନାହିଁ ତାହା ସମସ୍ତଙ୍କୁ ଚକିତ କରିଛି । ଏସଂପର୍କରେ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ସେ ୭ ଦିନ ମଧ୍ୟରେ ମରାମତି କରିବେ ବୋଲି କହିଥିଲେ । ମାତ୍ର ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି ।


