କେନାଲରେ ପଡ଼ି ଯୁବକ ମୃତ୍ୟୁ ଘଟଣା: .ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ଗ୍ରାମବାସୀଙ୍କ ରାସ୍ତାରୋକ

.ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ରେଡ଼କ୍ରସରୁ ୧୦ ହଜାର ପ୍ରଦାନ
.ଅନ୍ୟାନ୍ୟ ଦାବି ସମ୍ପର୍କରେ ଆଲୋଚନାର ପ୍ରତିଶ୍ରୁତି ପାଇ ଓହରିଲେ ଆନ୍ଦୋଳନରୁ

ବାଲେଶ୍ୱର, (ସରୋଜ ପଣ୍ଡା): ଚୋରା ଦେଶୀ ମଦ ଚାଲାଣ ବେଳେ ଅବକାରୀ ଟିମ ପଞ୍ଝାରୁ ବର୍ତ୍ତିବା ପାଇଁ କେନାଲକୁ ଡେଇଁଥିବା ପୁରୁଣାବାଲେଶ୍ୱର ଅଞ୍ଚଳର ବ୍ରଜମୋହନ ମାଝୀଙ୍କ ପୁଅ ସପନ କୁମାର ମାଝୀ(୨୦)ଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ମଙ୍ଗଳବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । କଣ୍ଟିଆଚିରା ନଦୀ ମୁହାଣରୁ ଉଦ୍ଧାର ସପନର ମୃତଦେହକୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ପୁରୁଣାବାଲେଶ୍ୱର ଅଞ୍ଚଳର ଶତାଧିକ ମହିଳା ପୁରୁଷ ରାସ୍ତା ରୋକ କରିଥିଲେ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ, ଚଢ଼ଉ କରିଥିବା ଅବକାରୀ ଟିମର ଅଧିକାରୀଙ୍କୁ ନିଲମ୍ବନ, ମୃତ ସପନର ପରିବାରରୁ ଜଣକୁ ଚାକିରି ପ୍ରଦାନ ସହ ପୁରୁଣାବାଲେଶ୍ୱର ଅଞ୍ଚଳରେ ଥିବା ଏକାଧିକ ପୁଲିସ ବିଟ ହାଉସକୁ ଉଠାଇ ନେବାକୁ ଉତ୍ତେଜିତ ଲୋକେ ଦାବି କରିଥିଲେ । ଅପରାହ୍ନ ପ୍ରାୟ ୩ଟାରୁ ଲୋକ ଜିଲାପାଳଙ୍କ ଫାଟକ ସମ୍ମୁଖ ରାସ୍ତାରେ ନିଆଁଜାଳି ହାହୋଲା କରିଥିଲେ । ଖବର ପାଇ ସିଟି ଡିଏସପି ଅନୀଲ ଧର, ଟାଉନଥାନା ଅଧିକାରୀ ସାଲଖାନ ମୁର୍ମୁ, ସହଦେବଖୁଣ୍ଟା ଥାନା ଭାରପ୍ରାପ୍ତ ଅଧିକାରୀ ବିରଞ୍ଚି ନାରାୟଣ ସାହୁ ପ୍ରମୁଖ ପୁଲିସ ଅଧିକାରୀଙ୍କ ସମେତ ସଦର ତହସିଲଦାର ଅନାମିକା ସିଂ ରାସ୍ତାରୋକ ସ୍ଥଳରେ ପହଞ୍ôଚ ଉତ୍ତେଜିତ ଲୋକଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ । ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରେଡ଼କ୍ରସ ସୋସାଇଟିରୁ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୧୦ ହଜାର ଟଙ୍କା ପ୍ରଦାନ ସହ ଆଗାମୀ ଦିନରେ ଅନ୍ୟାନ୍ୟ ଦାବି ସମ୍ପର୍କରେ ଆଲୋଚନା ନେଇ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଧାରଣା ଓ ରାସ୍ତାରୋକରୁ ନିବୃତ ହୋଇଥିଲେ । ସୋମବାର ପୁରୁଣାବାଲେଶ୍ୱରରୁ ଚୋରା ମଦ ନେଇ ୪ ଜଣ ଯୁବକ ଜଣ ସୋର ଅଞ୍ଚଳକୁ ଯାଉଥିବା ବେଳେ ଅବକାରୀ ବିଭାଗର ଦଳ ସେମାନଙ୍କୁ ନିମିକି ସଡ଼କର ଶ୍ରୀଜଙ୍ଗଠାରେ ଧରିବାକୁ ଉଦ୍ୟମ କରିଥିଲେ । ତେବେ ପୁରୁଣାବାଲେଶ୍ୱର ଗଙ୍ଗାରାମପାଟଣାର ତପନ ମହାନ୍ତି(୩୧) ଓ ଚୁନପଠାର କରୁଣାକର ବାରିକ(୨୯) ଏବଂ ବଡ଼ଖୁଆର ସୁଶାନ୍ତ ଜେନା(୧୯)ଙ୍କୁ ଅବକାରୀ ଦଳ ଗିରଫ କରି ପାରିଥିବା ବେଳେ ଅନ୍ୟତମ ମଦ ଚୋରା ଚାଲାଣକାରୀ ସପନ କୁମାର ମାଝୀ ମୋଟର ସାଇକେଲ ଛାଡ଼ି କେନାଲକୁ ଡେଇଁ ଖସିଯିବାକୁ ଚେଷ୍ଟା କରିଥିଲେ । ମାତ୍ର କ୍ଷୀପ୍ର ସ୍ରୋତ ଥିବା କେନାଲରେ ପଡ଼ି ନଦୀ ଭିତରକୁ ଚାଲିଯାଇ ନିଖୋଜ ହୋଇ ଯାଇଥିଲା । ଅବକାରୀ ବିଭାଗ ଅଧିକାରୀଙ୍କଠାରୁ ଖବର ପାଇ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ଦୀର୍ଘ ସମୟ ଖୋଜାଖୋଜି କରିଥିଲେ ବି ସପନର କୌଣସି ପତ୍ତା ମିଳି ନ ଥିଲା । ମଙ୍ଗଳବାର ସକାଳେ ସପନର ମୃତଦେହ କଣ୍ଟିଆଚିରା ନଦୀର ଜାମୁକା ମୁହାଣ କଳାମାଟିଆ ପାହି ବନ୍ନି ଜଙ୍ଗଲରେ ଠାବ କରାଯାଇଥିଲା । ମୃତଦେହ ଉଦ୍ଧାର ପରଠାରୁ ପୁରୁଣାବାଲେଶ୍ୱର ଅଞ୍ଚଳ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ସହ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ