ଖବର ପ୍ରସାରଣ ପରେ କାଳିଆକୁ ଭେଟିଲେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା); ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ଗ୍ରାମର ଉମେଶ ପାତ୍ର(କାଳିଆ) ଦୁଇବର୍ଷ ପୂର୍ବରୁ କେରଳ ଠାରେ ଆକ୍ରମଣର ଶିକାର ହୋଇଥିଲା । ମରଣ ସହିତ ସଂଗ୍ରାମ କରି ଦୀର୍ଘ ଚାରିମାସ ପରେ ସୁସ୍ଥ ହୋଇଥିଲେ ସୁଦ୍ଧା ଏବେ ସେ ଏକ ପ୍ରକାର ଅଚଳ ହୋଇଯାଇଛି । ପୂର୍ବବର୍ଷ ଲକଡାଉନ ଠାରୁ ଆସି ସେ ଘରେ ବସିଥିବାବେଳେ ଦୁଇ ପୁଅ ଓ ସ୍ତ୍ରୀକୁ ନେଇ ସଂସାର ଚଳାଇବା ତାପକ୍ଷେ କଷ୍ଟକର ହୋଇପଡିଛି । ପୂର୍ବରୁ ଆକ୍ରମଣ ବେଳେ ମୁଣ୍ଡରେ ଯେଉଁ ଆଘାତ ଲାଗିଥିଲା, ଅସ୍ତ୍ରପଚାର ପରେ କିଛିମାତ୍ରାରେ ଭଲ ହୋଇଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଡାକ୍ତର ଏବେ ଦ୍ୱିତୀୟ ଥର ଅପରେସନ ପାଇଁ କହୁଛନ୍ତି । ଏପଟେ କାଳିଆର ଘର ଡିହକୁ ଛାଡିଦେଲେ ତା ପାଖରେ ଜମିବାଡି ଗୁଣ୍ଠେ ନଥିବାବେଳେ ଚାରିପ୍ରାଣୀ ଚଳିବା କଷ୍ଟକର ହୋଇପଡିଛି । ତାର ଦୟନୀୟ ସ୍ଥିତିକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏହା ଉପରେ ସରକାରଙ୍କର ଦୃଷ୍ଟି ଆକର୍ଷଣ ହୋଇଥିବା ଜଣାପଡିଛି । ସରକାର କାଳିଆ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ପରେ ପ୍ରଶାସନ ତତ୍ପର ହୋଇଉଠିିଛି । ଜିଲ୍ଲା ଚିକିତ୍ସାଧିକାରୀଙ୍କ ତତ୍ୱାବଧାନରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ରାଢୋ ଠାରେ ପହଞ୍ଚି କାଳିଆର ସ୍ୱାସ୍ଥ୍ୟଗତ ସମସ୍ୟା ଓ ପରିବାରର ଆର୍ଥିକ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିବା ଜଣାପଡିଛି । ସରକାରୀ ବାବୁମାନେ ଘର ଦୁଆରକୁ ଆସି ସବୁ ବୁଝାବୁଝି କରି ଫେରିଯିବା ପରେ କାଳିଆ ମନରେ ସମ୍ପୂର୍ଣ୍ଣ ସୁସ୍ଥ ହେବାର ଆଶା ସଞ୍ଚାର ହୋଇଛି । ସେ ଯାହା ବି ହେଉ ସରକାର ଗରୀବ କଲ୍ୟାଣ ଯୋଜନା ଅନୁଯାୟୀ ଜିଲ୍ଲା ପ୍ରଶାସନ ଜରିଆରେ କାଳିଆକୁ ଯଦି ଆର୍ଥିକ ସାହାର୍ଯ୍ୟ ଯୋଗାଇପାରନ୍ତେ ତାହେଲେ ଦ୍ୱିତୀୟବାର ସେ ଅପରେସନ ହୋଇ ସମ୍ଫୂର୍ଣ୍ଣ ସୁସ୍ଥ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି ।


