ଗୁଣ୍ଡୁରିଆ ଶହୀଦ ଦିବସ ଉପଲକ୍ଷେ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ପ୍ରସ୍ତୁତି ବୈଠକ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଫେବୃଆରୀ ୬ ଐତିହାସିକ ଗୁଣ୍ଡୁରିଆ ଶହୀଦ ଦିବସ । ଏହା ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ବହଳଦା ବ୍ଲକର ଅଁଳାଯୋଡି ପଞ୍ଚାୟତର ଗଣ୍ଡୁରିଆ ଗ୍ରାମର ଶହୀଦ ପୀଠରେ ୧୯୪୯ ମସିହା ଫେବୃଆରୀ ୬ ତାରିଖରେ ନିରିହ ଆଦିବାସୀ ମା’,ମାଟି,ମାନୁଷ ପାଇଁ ସଭା କରୁଥିବା ବେଳେ ପୋଲିସର ବର୍ବୋଚିତ ଆକ୍ରମଣରେ ବହୁ ଲୋକ ମୃତ ଆହତ ହୋଇଥିଲେ । ସେହି ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ଶହୀଦ ପୀଠରେ ପୂଜାର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ପାଇଁ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ବରିଷ୍ଠ ଝାମୁମୋ ନେତା ସୁନିଲ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ତଦସହ କେନ୍ଦ୍ର ସରକାରଙ୍କ କୃଷିନୀତି,ମଣ୍ଡିରେ ଧାନ କିଣାରେ ଅନିୟମିତତା, ସ୍କୁଲ ମିଶ୍ରଣ, ଗୋରୁମହିଷାଣୀ ଲୌହଖଣିରେ ଶ୍ରମିକ ବଦଳରେ ମେସିନ କାମ କରୁଥିବା ଅଭିଯୋଗ ଉପରେ ବିଶଦ ଆଲୋଚନା ହୋଇଥିଲା । ଏହା ବିରୋଧରେ ଝାମୁମୋ ଆଗକୁ ଆନ୍ଦୋଳନ କରିବ । କାର୍ଯ୍ୟକ୍ରମରେ ପାରେଶ୍ବର ମୁର୍ମୁ,ଗୁରୁବା ସୋରେନ,ଶାଙ୍ଖ ବାସ୍କେ,ଫାଗୁ ବାସ୍କେ,ଫୁର୍ମାଲ ବେଶ୍ରା,ମୋହନ ମାଝି,ଚାମ୍ପାଇ ମାଝୀ,ଖେଲା ମୁର୍ମୁ,ସୁଖ ପାତ୍ର,ଦୁଃଖୁ ମାଝୀ,ଫାତୁ ବେଶ୍ରା, ପିତାମ୍ବର ସୋରେନ ପ୍ରମୁଖ ନେତା ଗଣ ଯୋଗାଯୋଗ ଦେଇଥିଲେ । ଶେଷରେ ସାଲୁଜ କିସ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


