ନୂଆବର୍ଷରେ ଆଖଣ୍ଡଳମଣି ପୀଠ ଉତ୍ସବମୁଖର

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲାରେ ଥିବା ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡିରେ ନୂଆବର୍ଷ ଉପଲକ୍ଷେ ପ୍ରବଳ ଭିଡ ହୋଇଥିଲା । ରବିବାର ଭୋର ୪.୩୦ରେ ପାଳିଆ ସେବାୟତଙ୍କ ଦ୍ବାରା ମନ୍ଦିର ପହଡ ଖୋଲାଯାଇ ମଙ୍ଗଳ ଆଳତି କରାଯାଇଥିଲା । ପରେ ପ୍ରଭୁଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ କର୍ପୂର ଆଳତି, ନୈବେଦ୍ଯ ଅର୍ପଣ ଓ ପହିଲି ଘର୍ଷଣ ଲାଗି କରା ଯାଇଥିଲା । ଶ୍ରଦ୍ଧାଳୁ ମାନେ ଲମ୍ବା ଲାଇନରେ ଆସି ପ୍ରଭୁଙ୍କୁ ଦର୍ଶନ କରିଥିଲେ । ସକାଳ ୮ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ଭକ୍ତଙ୍କ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥିଲା । ପୀଠରେ ସ୍ବଳ୍ପ ସଂଖ୍ୟକ ପୋଲିସ ମୃତୟନ ଯୋଗୁଁ ଯାନ ବାହନ ନିୟନ୍ତ୍ରଣରେ ବାଧା ଉପୁଜିଥିଲା । ଆରଡି ପୋଲିସ ଫାଣ୍ଡି ଠାରୁ ୨ ଚକିଆ ଓ ୪ ଚକିଆ ଯାନକୁ ଅଟକାଇବା ଯୋଗୁଁ ଭିଡ ନିୟନ୍ତ୍ରଣ କରାଯାଇପାରିଥିଲା । ଆରଡି ଫାଣ୍ଡି ଅଧିକାରୀ ସୁରେନ୍ଦ୍ର କୁମାର ମଲ୍ଲ, ଫାଣ୍ଡି କର୍ମଚାରୀ ରମେଶ ରାଉତଙ୍କ ସମେତ ଅନ୍ୟ ଫାଣ୍ଡି ପୋଲିସ ଭିଡ ନିୟନ୍ତ୍ରଣ କରିବାକୁ ନାକେଦମ ହୋଇଥିଲେ । ୫୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ଯୋଗୁଁ ପୀଠ ଉତ୍ସବମୁଖର ହୋଇଥିଲା । ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳୀ, ଓଁ ନମଶିବାୟ ଧ୍ବନିରେ ମନ୍ଦିର ବେଢା ପରିସର ପ୍ରକମ୍ପିତ ହୋଇଥିଲା । ମୁଆଁ, ତିନିତର, ଧାନଖଣିଆ ଆଦି ନଦୀଘାଟ ଦେଇ ବିପଦ ସଂକୁଳ ଅବସ୍ଥାରେ ଭକ୍ତମାନେ ପୀଠକୁ ଆଗମନ କରିଥିଲେ । ନଦୀଘାଟରେ ଓଡ୍ରାଫ ଟିମ କିମ୍ବା ଦମକଳ ବାହିନୀ ମୃତୟନ କରାଯାଇ ନଥିବାରୁ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । କରୋନା କଟକଣା ଯୋଗୁଁ ୨ ବର୍ଷ ଧରି ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତb ହୋଇଥିଲେ । ତେଣୁ ଏବର୍ଷ କଟକଣା କୋହଳ ଯୋଗୁଁ ଏତେ ସଂଖ୍ୟକ ଭକ୍ତ ପୀଠକୁ ଆଗମନ କରିଥିଲେ ବୋଲି ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ