ପକ୍କା ଘର ପାଇବାରୁ ଲୋଚନ ବଂଚିତ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ୮ନଂ.ୱାର୍ଡ ଡମସାହିର ଲୋଚନ ବାରିକ ପକ୍କାଘର ପାଇବା ପାଇଁ ଦୀର୍ଘ ଦିନ ହେଲା ଅପେକ୍ଷା କରି ବସିଛନ୍ତି । ସେ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ୫ ପ୍ରାଣୀ କୁଟୁମ୍ବଙ୍କୁ ନେଇ ଚାଳଛପର ଘରେ ବହୁ କଷ୍ଟରେ ଦିନ କାଟୁଛନ୍ତି । ପ୍ରାୟ ୮ ବର୍ଷ ତଳେ ଗାଡି ଧକ୍କାରେ ତାଙ୍କର ରୋଜଗାରିଆ ୨୨ ବର୍ଷର ପୁଅ ମୃତ୍ୟୁ ବରଣ କରିଥିଲା । ସେତେବେଳେ ବ୍ଲକ ପ୍ରଶାସନ ଏବଂ ବିଧାୟକ, ସାଂସଦ ଓ ସ୍ଥାନୀୟ ନେତା ତାଙ୍କୁ ପକ୍କା ଘରଟିଏ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ୍ ସାମଲ ବିଜୁ ପକ୍କାଘର ମିଳିବା ନେଇ ବହୁବାର ବ୍ଲକକୁ ଜଣାଇଥିଲେ । ବ୍ଲକରୁ ଡି.ଆର୍.ଡି.ଏ ପର୍ଯ୍ୟନ୍ତ ତାଙ୍କ ନାମ ବହୁବାର ଯାଇଥିଲା । ଗତ ବର୍ଷ ତତ୍କାଳୀନ ବିଡିଓ ତଦନ୍ତରେ ଆସି ତାଙ୍କ ଚାଳଛପର ଘର ଦେଖିଯାଇଥିଲେ । ପରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏପରିପେକ୍ଷୀରେ ଲୋଚନ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ତାଙ୍କୁ ପକ୍କା ଘର ଖଣ୍ଡିଏ ମିଳିପାରିନାହିଁ । ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।


