ପଥର ପ୍ୟାକିଂ କାର୍ଯ୍ୟ ଚାଲୁଥିବା ବେଳେ ନଦୀ ମଧ୍ୟକୁ ଧସିଲା ପଥର

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକର ଆରଡି ପଞ୍ଚାୟତ ଅଧୀନ ଶିତଳପୁର ଗାଁ ନିକଟରେ ପ୍ରବାହିତ ସାଳନ୍ଦୀ ନଦୀକୂଳରେ ଥିବା ସୁରକ୍ଷା ବନ୍ଧ କାର୍ଯ୍ୟ ଚାଲୁ ରହିଥିବା ବେଳେ ରବିବାର ପଥର ସମେତ ବନ୍ଧ ନଦୀ ଗର୍ଭକୁ ଧସି ଯାଇଛି । ଫଳରେ ନଦୀ କୂଳିଆ ବାସୀଙ୍କ ମଧ୍ୟରେ ଭୟ ଦେଖା ଦେଇଛି । ନଦୀ ଜୁଆରିଆ ଥିବାରୁ ପୁଣି ବନ୍ଧ ଧସିବା ସହ ନଦୀ ଗାଁ ଆଡକୁ ମାଡି ଆସିବାର ସମ୍ଭାବନା ଦେଖା ଦେଇଛି । ଗ୍ରାମବାସୀଙ୍କ ମଧ୍ୟରେ କୁମ୍ଭୀର ଭୟ ମଧ୍ୟ ସୃଷ୍ଟି ହୋଇଛି । ନିୟମିତ ନଦୀବନ୍ଧରେ ପଥର ପ୍ୟାକିଂ କାମ ଚାଲୁ ରହିଲେ ଏମିତି ସମସ୍ୟା ଉପୁଜନ୍ତା ନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ଠିକାଦାର ନଦୀବନ୍ଧରେ ପଥର ପକାଇବା ସହ କିଛି ଦିନ କାମ ବନ୍ଦ କରୁଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ସେମାନେ କହିଛନ୍ତି । ଏଠାରେ ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନଦୀବନ୍ଧ ଧସୁଥିଲେବି କେବଳ ବାଲିବସ୍ତା ଦେଇ କାମ ଚଳା ଯାଉଥିଲା । ପଥର ପ୍ୟାକିଂ କାମ ମଧ୍ୟ ପ୍ରାୟ ୧ ବର୍ଷ ତଳୁ ଆରମ୍ଭ ହୋଇଛି । ଏଭଳି ସ୍ଥିତିରେ ନଦୀବନ୍ଧ ପଥର ପ୍ୟାକିଂ ତୁରନ୍ତ ସାରିବାକୁ ଗ୍ରାମବାସୀ କହିଛନ୍ତି । ଅଧାପନ୍ତରା କର୍ଯ୍ୟ ଚାଲିଲେ ପୁନର୍ବାର ଏଭଳି ସମସ୍ୟା ଉପୁଜିବାକୁ ଏଡାଇ ଦିଆଯାଇନପାରେ । ତେବେ ନଦୀବନ୍ଧ ପଥର ପ୍ୟାକିଂ କାର୍ଯ୍ୟ ଚାଲୁଥିବା ବେଳେ ପଥର ନଦୀବନ୍ଧକୁ ଧସିଲେ ସେମିତି କିଛି ସମସ୍ୟା ନାହିଁ । କାରଣ ଯେଉଁ ସ୍ଥାନରେ ପଥର ଧସିଛି ସେହିସ୍ଥାନରେ ୩୦ ମିଟର ତଳୁ ଅର୍ଥାତ ନଦୀଶଯ୍ୟାରୁ ପଥର ପଡି କୂଳ ପର୍ଯ୍ୟନ୍ତ ଆସିବ ବୋଲି କହିଛନ୍ତି ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ କିଶୋର ଦାସ । ତେବେ ପଥର ପ୍ୟାକିଂ କାର୍ଯ୍ୟ ଚାଲୁ ରହିଛି । ଏହାକୁ ସ୍ଥାୟୀ ଭାବରେ ନିର୍ମାଣ କରି ସମସ୍ୟାର ସମାଧାନ କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ