ପାରଳାରେ ଶାସ୍ତ୍ରୀୟ ଓଡିଆ ଭାଷା ଦିବସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସହରର ଓଡିଆ ଭଣ୍ଡାରୀ ସାହି ଠାରେ ଥିବା ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ପାଳିତ ହୋଇଯାଇଛି । ସମାବେଶକୁ ଉଦ୍ଘାଟନ କରି ଶିକ୍ଷାବିତ୍ ଗୌରଚନ୍ଦ୍ର ପଣ୍ଡା ଓଡିଆ ଭାଷାର ପ୍ରାଚୀନତା ଓ ବୈଦ୍ଧସିଦ୍ଧ ସାଧକମାନେ ଦୀର୍ଘ ୮୦୦ ବର୍ଷକାଳ ଓଡିଆକୁ କିପରି ଚର୍ଯ୍ୟାପଦ ମାଧ୍ୟମରେ ବଞ୍ଚାଇ ରଖିଲେ ତାହା ପ୍ରକାଶ କରିବା ସହ ଓଡିଆ ଭଷା ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କରିଥିବାରୁ ପ୍ରଶଂସା କରିଥିଲେ । ସମ୍ମାନିତ ଆଲୋଚକ ଭାବେ ଯୋଗଦେଇ ଐତିହାସିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ ଓଡିଆ ଭାଷାକୁ ମୁଣ୍ଡରେ ଧରି ତୁଣ୍ଡରେ କହିବା ଓ ଆମଭାଷା ପ୍ରତି ଆମର ଅନୁରାଗ ରହିଲେ ଯାଇ ଓଡିଆ ଭାଷାର ସୁରକ୍ଷା ସମ୍ଭବ ହେବ । ଓଡିଶା ସରକାରୀ ଭାଷା ଆଇନ୍ କାର୍ଯ୍ୟକାରୀ କରିନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଆଶାଲତା ପାଣିଗ୍ରାହୀ, ଅଚାର୍ଯ୍ୟ ବିନୋଦଚନ୍ଦ୍ର ଜେନା, ଭାଗବତ ପାଢୀ, ଡ.କଲ୍ୟାଣୀ ମିଶ୍ର ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସ୍ୱର୍ଣ୍ଣଲତା ପାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସୁକାନ୍ତି ରାଣୀ ପାଢୀ ଧନ୍ୟବାଦ ଦେଇଥିଲେ । ତ୍ରିପତି ପ୍ରସାଦ ପଣ୍ଡା, ସୁରେଶ ଦାସ, ଦଗଦୀଶ ଚନ୍ଦ୍ର ମହାପାତ୍ର, ଡ.ଭୁବନେଶ୍ୱର ପଟ୍ଟନାୟକ, କବି ମୀନା କୁମାରୀ ଟହଲ, ସରୋଜ ପଣ୍ଡା ପ୍ରମୁଖଙ୍କ ସମତେ ବୁଦ୍ଧିଜୀବୀମାନେ ସଭାରେ ଉପସ୍ଥିତଥିଲେ ।


