ପୋଖରୀରେ ବୁଡି ନା’ବାଳକ ଛାତ୍ରର ମୃତ୍ୟୁ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଅସିଆ ଗ୍ରାମରେ ପୋଖରୀରେ ବୁଡି ଜଣେ୭ବର୍ଷୀୟ ନା ବାଳକ ଛାତ୍ରର ମୃତ୍ୟୁ ଘଟିଛି। ଅସିଆ ମୁଣ୍ଡାସାହି ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଗ୍ରାମର ସ୍ବର୍ଗତ ତାଣ୍ଡି ହୋ ଙ୍କ ୭ବର୍ଷୀୟ ପୁଅ ସୁରେନ୍ଦ୍ର ହୋ ଶନିବାର ସ୍କୁଲ ଛୁଟି ପରେ ଘରକୁ ଯାଇ ଖାଇ ସାରିବା ପରେ ଗାଧୋଇବା କୁ କହି ଘରୁ ଚାଲି ଆସିଥିଲା। କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଉ ଘରକୁ ନ ଫେରିବା ଯୋଗୁଁ ମା ଶ୍ରୀମତୀ ହୋ ପଡୋଶୀ ମାନଙ୍କୁ ଧରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କିଛି ସନ୍ଧାନ ପାଇ ନଥିଲେ। ଆଜି ସକାଳୁ ଗାଁ ନିକଟସ୍ଥ ପୋଖରୀରେ ଏହି ନା ବାଳକ ଛାତ୍ରର ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସରପଞ୍ଚଙ୍କ ପ୍ରତିନିଧି ସୁଧାଂଶୁ ବିଶ୍ୱାଳ, ସମ୍ପୃକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରାକାର ଜେନା , ଶିକ୍ଷକ ହେମନ୍ତ ସାମଲ, ଉଦୟନାଥ ସା, କାଳିଆ ସ୍ୱାଇଁ ପ୍ରମୂଖ ପହଂଚି ନନ୍ଦିପଦା ପୁଲିସ ଓ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇଥିଲେ। ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାଟଡ଼ିହି ଦମକଳ କେନ୍ଦ୍ରର କର୍ମଚାରୀ ଙ୍କ ସହଯୋଗରେ ଶବକୁ ଉଦ୍ଧାର କରି ପୋଷ୍ଟମଟମ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଛି। ଗତ କିଛି ମାସ ତଳେ ମୃତ ଛାତ୍ର ସୁରେନ୍ଦ୍ରର ବାପା ତାଣ୍ଡି ହୋ ମଧ୍ୟ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ। ଏହାକୁ ନେଇ ଅସିଆ ଗ୍ରାମରେ ଵୋକାକୁଳ ପରିବେଶ ସୃଷ୍ଟି ହୋଇଛି।


