ପୋଲିସ ଟ୍ରାଫିକ ଷ୍ଟାଣ୍ଡରେ ଆଖୁ ବିକ୍ରୟ ଚାଲିଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଏକ ଅଜବ ଦୃଶ୍ୟ ଦେଖା ଦେଇଛି । ପାରଳା ସହରର ପ୍ରମୁଖ ରାଜଦାଣ୍ଡରେ ଥିବା ହାଇସ୍କୁଲ ଛକର ପୋଲିସ ଟ୍ରାଫିକ ଷ୍ଟାଣ୍ଡ ଆଖୁ ବିକ୍ରୟ କେନ୍ଦ୍ର ପାଲଟିଛି । ଏଠାରେ କିଛି ବ୍ୟବସାୟୀ ସାଧାରଣଙ୍କୁ ଆଖୁ ବିକ୍ରୀ କରି ଚାଲିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପାରଳାଖେମୁଣ୍ଡି ସହର ଠାରେ ଟ୍ରାଫିକ ନିୟମକୁ କଡାକଡି କରିବା ସହ ଟ୍ରାଫିକ କୁ ନିୟନ୍ତ୍ରଣ କରି ଜନସାଧାରଣଙ୍କୁ ସୁରକ୍ଷା ଦେବା ସକାଶେ ଗଜପତି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ୨୦୧୨ ମସିହାରେ ସହରର ବିଭିନ୍ନ ସ୍ଥାନରେ ଖରା ଓ ବର୍ଷା ସମୟରେ ମଧ୍ୟ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଟ୍ରାଫିକ ଷ୍ଟାଣ୍ଡ ଗୁଡିକ ନିର୍ମାଣ କରାଯାଛି । ସହରର ବିଭିନ୍ନ ଛକରେ ପୋଲିସ ଟ୍ରାଫିକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା । କିନ୍ତୁ ଗତ କିଛି ଦିନ ହେଲା ବାରମ୍ବାର ସହରରେ ଟ୍ରାଫିକ ସମସ୍ୟା ଉପୁଜିଥିଲେ ମଧ୍ୟ ଟ୍ରାଫିକ ଷ୍ଟାଣ୍ଡ ଗୁଡିକର ବ୍ୟବହାର ନକରିବା ଯୋଗୁଁ ବିଭିନ୍ନ ବ୍ୟବସାୟୀମାନେ ଖରା ଓ ବର୍ଷା ସମୟରେ ଏହି ଟ୍ରାଫିକ ଷ୍ଟାଣ୍ଡର ଭରସାରେ ନିଜ ବ୍ୟବସାୟ ଓ ବିକ୍ରିବଟା ଚଳାଇଛନ୍ତି । ସହରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ରହିଥିବା ଟ୍ରାଫିକ ପୋଷ୍ଟ ଖାଲି ପଡିଥିବା ଯୋଗୁଁ ଗତକାଲି ମଧ୍ୟାହ୍ନ ସମୟରେ ଖରାରୁ ରକ୍ଷା ପାଇବା ପାଇଁ କିଛି ଆଖୁ ବ୍ୟବସାୟୀ ଟ୍ରାଫିକ ପୋଷ୍ଟରେ ଆଖୁ ରଖି ଗରାଖମାନଙ୍କୁ ବିକ୍ରି କରିଥିଲେ । କେବଳ ଏହି ଗୋଟିଏ ଟ୍ରାଫିକ ପୋଷ୍ଟ ନୁହେଁ । ପ୍ରାୟ ପ୍ରତ୍ୟେକ ପୋଷ୍ଟ ଠାରେ ଅନେକ ସମୟରେ ଏଭଳି କିଛି ବ୍ୟବସାୟୀ ବିଭିନ୍ନ ଜିନିଷ ପତ୍ର, ଫଳ ଓ ପରିବା ଆଦି ବିକ୍ରି କରୁଥିବାର ମଧ୍ୟ ନଜିର ରହିଛି । ଏଥି ପ୍ରତି ଜିଲ୍ଲା ପୋଲିସ ଏସ୍‌ପି ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ