ବନ୍ୟା ଆଶଙ୍କା ନାହିଁ ଲଗାଣ ବର୍ଷାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା); ଲଘୁଚାପ ଜନିତ ବର୍ଷା ଉପକୂଳ ଓଡିଶାକୁ ବେହାଲ କରିଛି । ଗତ ୪୮ଘଣ୍ଟା ଧରି ବର୍ଷା ଲାଗି ରହିବା କାରଣରୁ ରାସ୍ତାଘାଟ, ନଦୀ, ନାଳ ଜଳପୂର୍ଣ୍ଣ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ଜଣାପଡିଛି । ଯଦିଓ ନଦୀରେ ବନ୍ୟା ଆଶଙ୍କା ନାହିଁ ତଥାପି ଆଖୁଆପଦା ଆନିକଟ ଠାରେ ଜଳସ୍ତର ବୃଦ୍ଧି ପାଉଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ ନଦୀର ଉପରମୁଣ୍ଡ ଆନନ୍ଦପୁର ଠାରେ ୩୨.୮ମି.ମି., ସ୍ୱାମପାଟଣା ଠାରେ ୧୮.୮ମି.ମି., କେନ୍ଦୁଝର ଠାରେ ୫୭.୮ମି.ମି., ଠାକୁରମୁଣ୍ଡା ଠାରେ ୧୦.୦ମି.ମି.ଓ ଚମ୍ପୁଆ ଠାରେ ୪୩.୮ମି.ମି. ବର୍ଷା ରେକର୍ଡ କରାଯାଇଛି । ନଦୀପାଶ୍ୱର୍ ଆଖୁଆପଦା ଆଖପାଖ ଅଞ୍ଚଳରେ ସର୍ବାଧିକ ୮୯.୦୦ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆସନ୍ତା କାଲି ସୁଦ୍ଧା ବନ୍ୟା ହେବାର ଆଶଙ୍କା ନଥିବାବେଳେ ନଦୀରେ କିନ୍ତୁ ଜଳସ୍ତର ବୃଦ୍ଧି ପାଉଥିବା କୁହାଯାଉଛି । ଆଜି ସନ୍ଧ୍ୟା ୬ଟା ସୁଦ୍ଧା ବୈତରଣୀର ଆଖୁଆପଦା ଆନିକଟ ଠାରେ ୧୭.୩୦ମି.ରେ ଜଳପ୍ରଭାବିତ ହେଉଥିବାବେଳେ ଏଠାରେ ବିପଦ ସଙ୍କେତ୧୭.୮୩ମି. ଅଟେ ।


