ବସ୍ତୁବାଦୀ ସମାଜରେ ତୁଚ୍ଛ ହେଉଛି ସମ୍ପର୍କର ମୂଲ୍ୟ

ବାଲେଶ୍ୱର, (ସରୋଜ ପଣ୍ଡା) :-ସାମ୍ପ୍ରତିକ ବସ୍ତୁବାଦୀ ତଥା ଅର୍ଥ ସର୍ବସ୍ୱ ଦୁନିଆରେ ସମ୍ପର୍କର ମୂଲ୍ୟ କେମିତି ତୁଚ୍ଛ ହୋଇଯାଉଛି, ତା’ର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ସହର ଉପକଣ୍ଠ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ କଣ୍ଟାବଣିଆ ଗ୍ରାମରେ । ପୁଅ-ବୋହୁଙ୍କ ଦ୍ୱାରା ବିତାଡ଼ିିତ ଏହି ଗ୍ରାମର ବୃଦ୍ଧ ପିତାମାତା ଶେଖ ଆନିସୁଦ୍ଦିନ ଓ ଜମିଲା ବିବି ଶେଷରେ ଘର ସମ୍ମୁଖ ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି । ତାଙ୍କର ଏହି ଅବସ୍ଥାକୁ ଦେଖି ପଡ଼ୋଶୀମାନେ ସହାୟତାର ହାତ ବଢ଼ାଇବା ସହ ନ୍ୟାୟ ପାଇଁ ତାଙ୍କୁ ନେଇ ଥାନାରେ ପହଞ୍ଚାଇଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ସରକାରୀ ଚାକିରୀ କରୁଥିବା ବଡ଼ପୁଅ ନସିସୁଦ୍ଦିନ ଓ ବୋହୂ ଫରିଦା ଖାତୁନଙ୍କ ସହ ଉଭୟ ବାପା ମାଆ କଣ୍ଟାବଣିଆସ୍ଥିତ ଘରେ ରହି ଆସୁଥିଲେ । ଅନ୍ୟ ସନ୍ତାନ ସନ୍ତତିଙ୍କ ମଧ୍ୟରେ ନସିସୁଦ୍ଦିନ ବଡ଼ପୁଅ ହୋଇଥିବାରୁ ପରଘରେ ମୂଲ ଲାଗି ପରିବାରର ଅନ୍ୟମାନଙ୍କ ପେଟରୁ କାଟି ତାଙ୍କୁ ସେମାନେ ପାଠ ପଢ଼ାଇଥିଲେ । ପାଠପଢ଼ିି ପୁଅ କେନ୍ଦ୍ର ସରକାରଙ୍କ କୋଷ୍ଟଗାର୍ଡ ବିଭାଗରେ ଚାକିରୀ କରିବା ପରେ ଜମିଲା ବିବି ଓ ଶେଖ ଆନିସୁଦ୍ଦିନ ଭାବି ଥିଲେ ଯେ ତାଙ୍କର ଦୁଃଖ କଷ୍ଟର ଦିନ ସରିଗଲା ବୋଲି । ଚାକିରୀ କରିବା ପରେ ପୁଅ ଦେଇଥିବା ଅର୍ଥ ସାଙ୍ଗକୁ ନିଜର ସଞ୍ଚିତ ଅର୍ଥ ଓ ବନ୍ଧୁ ବାନ୍ଧବଙ୍କ ସହଯୋଗରେ ଆନିସୁଦ୍ଦିନ କଂଟାବଣିଆ ଗ୍ରାମରେ ଏକ ଜାଗା କିଣି ଘର ତିଆରି କରିଥିଲେ । ଏହି ଜାଗାଟି ମଧ୍ୟ ସେ ସେତେବେଳେ ପୁଅ ନସିସୁଦ୍ଦିନଙ୍କ ନାମରେ କିଣିଥିଲେ । ଭାବିଥିଲେ, ଏକମାତ୍ର ରୋଜଗାରିଆ ପୁଅ ତାଙ୍କ ସହ ଭାଇ ଭଉଣୀ କଥା ବୁଝିବ । ମାତ୍ର ନସିସୁଦ୍ଦିନ ବିଭା ହେବା ପରେ ଧୀରେ ଧୀରେ ତା’ର ମାନସିକତାର ପରିବର୍ତ୍ତନ ଆସିଥିବା ବାପାମାଆ ପୁଲିସ ଆଗରେ ପ୍ରକାଶ କରିଛନ୍ତି । ଝିଅମାନେ ବିବାହ କରିଯାଇଥିବା ବେଳେ ବୋହୂର ନିର୍ଯାତନା ସହି ନପାରି ଅନ୍ୟ ପୁଅମାନେ ମଧ୍ୟ ଯିଏ ଯୁଆଡ଼େ ପଳାଇ ଯାଇଛନ୍ତି । ଅନ୍ୟକିଛି ବିକଳ୍ପ ବ୍ୟବସ୍ଥା ନଥିବା ଯୋଗୁଁ ପୁଅ ବୋହୂଙ୍କ ପାଖରେ ବୃଦ୍ଧ ଜମିଲା ବିବି ଓ ଶେଖ ଆନିସୁଦ୍ଦିନ ରହୁଥିଲେ । ପ୍ରତିଟି ସମୟରେ ବୋହୂ ଫରିଦା ଖାତୁନ ସେମାନଙ୍କ ଉପରେ ନିର୍ଯାତନା ଜାରି ରଖିଥିଲା । ଇତି ମଧ୍ୟରେ ମଛୁଆସାହିରେ ଜାଗା କିଣି ପୁଅବୋହୂ ଘର କରିଥିବା ବେଳେ କଣ୍ଟାବଣିଆ ଘରକୁ ସେମାନେ ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଛନ୍ତି । ଘର କିଣିଥିବା ଲୋକେ ଏହାକୁ ଦଖଲ କରିବାକୁ ଆସିବା ପରେ ଏ ବାବଦରେ ବୃଦ୍ଧ ପିତାମାତା ଜାଣିବାକୁ ପାଇଛନ୍ତି । ମାତ୍ର ସେମାନେ ଘର ନ ଛାଡ଼ିବାରୁ ଶେଷରେ ଦୁଇଦିନ ପୂର୍ବରୁ ରାତି ସମୟରେ ବୋହୂ କିଛି ଲୋକଙ୍କୁ ଧରି କଣ୍ଟାବଣିଆ ଘରେ ପହଞ୍ଚି ବୃଦ୍ଧ ପିତାମାତାଙ୍କୁ ଘରୁ ବାହାର କରି ତାଲା ପକାଇ ପଳାଇଥିଲେ । ରାତି ତମାମ ଖୋଲା ଆକାଶ ତଳେ ରହିବା ଦେଖି ପଡ଼ୋଶୀମାନେ ସେମାନଙ୍କୁ ଖାଇବା ପିଇବାକୁ ଦେଇ ଥାନାକୁ ଆଣି ଏତଲା ଦିଆଇଛନ୍ତି । ଦୁଇ ବରିଷ୍ଠ ନାଗରିକଙ୍କ ଉପରେ ହୋଇଥିବା ଏହି ନିର୍ଯ୍ୟାତନା ବିରୋଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପାଇୃଁ ଗ୍ରାମବାସୀମାନେ ପୁଲିସଠାରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ