ଲୋକ ମଞ୍ଚର ଆନ୍ଦୋଳନ ଚେତାବନୀ

ବାଲେଶ୍ୱର, (ସରୋଜ ପଣ୍ଡା) :-ଜିଲାବାସୀଙ୍କ ବହୁ ପ୍ରତିକ୍ଷୀତ ଏମ୍ସ ବହିର୍ବିଭାଗ ଖୋଲିବାରେ ଆହେତୁକ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ବାଲେଶ୍ୱର ଲୋକମଞ୍ଚ । ଚଳିତ ଫେବୃୟାରୀ ମାସ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ନହେଲେ ସଂଗଠନ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି କର୍ମକର୍ତ୍ତାମାନେ ସ୍ଥାନୀୟ ଫାଣ୍ଟାସି ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି । ଅନ୍ୟାନ୍ୟ ସମାଜସେବା ମୂଳକ କାର୍ଯ୍ୟ ସାଙ୍ଗକୁ ବାଲେଶ୍ୱର ଜିଲାର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବାର ସୁଧାର ପାଇଁ ବହୁ ଏମ୍ସ ସେଟଲାଇଟ୍ ସେଣ୍ଟର ପ୍ରତିଷ୍ଠା ଦିଗରେ ଏହି ସଙ୍ଗଠନ ପ୍ରଥମରୁ ଗୁରୁତ୍ୱ ଦେଇ ଅସିଥିଲା ବୋଲି ସେମାନେ ସୂଚନା ଦେଇଛନ୍ତି । ଏନେଇ ଅତୀତରେ ଜିଲାର ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ଯଥା, ଏମଏଲଏ, ଏମପି ତଥା କେନ୍ଦ୍ରମନ୍ତ୍ରୀ, ଭଦ୍ରକ ଏମପି ପ୍ରଭୃତିଙ୍କୁ ସାକ୍ଷାତ କରି ଏମ୍ସ ସେଟଲାଇଟ୍ ସେଣ୍ଟର ପ୍ରତିଷ୍ଠା ସମ୍ପର୍କରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ପରେ ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ପକ୍ଷରୁ ସମଲପୁର ଗ୍ରାମରେ ୧୨.୦୯ ଏକର ଓ ବାମପଦା ଗ୍ରାମରେ ୧୨.୯୧ ଏକର ଜମିକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ହସ୍ତାନ୍ତର କରାଯାଇଥିଲା । ତେବେ ପ୍ରଥମ ଲହର କରୋନା କାଳରୁ ବନ୍ଦ ହୋଇ ଯାଇଥିବା ପ୍ରତିରକ୍ଷା ବିଭାଗ କଲୋନିରେ ଚାଲିଥିବା ସାପ୍ତାହିକ ଏମ୍ସ ଓପିଡି (ପରାମର୍ଶ ଓ ପରୀକ୍ଷା) ଶିବିରକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସେଟଲାଇଟ ସେଣ୍ଟର ପରିବର୍ତ୍ତେ ପ୍ରଥମେ ଏମ୍ସ ଓପିଡି ସେଣ୍ଟର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ମଞ୍ଜୁର ୩୫ କୋଟି ଟଙ୍କାର ଅନୁଦାନରେ ପ୍ରସ୍ତାବିତ ସେଟଲାଇଟ ସେଣ୍ଟର ସ୍ଥଳର ଚତୁପାର୍ଶ ପ୍ରାଚୀର ଏବଂ ଓପିଡି ସେଣ୍ଟର ନିର୍ମାଣ ପାଇଁ ଧାର୍ଯ୍ୟ ହୋଇଥିଲା । ୧୯ କୋଟି ଟଙ୍କା ବ୍ୟୟ ଅଟକଳର ଓପିଡି ସେଣ୍ଟର ଓ ବାକି ଅର୍ଥରେ ଆନୁସଙ୍ଗିକ ଯନ୍ତ୍ରପାତି ତଥା ଆସବାବପତ୍ର ଆୟୋଜନରେ ଖର୍ଚ୍ଚ ହେବା ନେଇ ସୂଚନା ମିଳିଥିଲା । ଇତିମଧ୍ୟରେ ଓପିଡି ସେଣ୍ଟର ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ତୃତୀୟ ଲହର କରୋନା ଆଳ ଦେଖାଇ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନଥିବା ବାଲେଶ୍ୱର ଲୋକମଞ୍ଚର କର୍ମକତ୍ତାମାନେ ଆରୋପ କରିଛନ୍ତି । ଜିଲାବାସୀଙ୍କ ସ୍ୱାର୍ଥରକ୍ଷାକୁ ଗୁରୁତ୍ୱ ଦେଇ ଚଳିତ ମାସ ଶେଷ ସୁଦ୍ଧା ଏହି ଓପିଡି ସେଣ୍ଟର କାର୍ଯ୍ୟକାରୀ ନ ହେଲେ ଏହି ସଙ୍ଗଠନ ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଲୋକମଞ୍ଚର ଆବାହକ ବିକ୍ରମ ପଣ୍ଡା, ସଭାପତି ଅସିତ କୁମାର ଦାସ, ଉପ-ସଭାପତି ନିଶିଥ ବାରିକ, ସାଧାରଣ ସମ୍ପାଦକ ଡ. ଶ୍ରୀମାନ ଶ୍ରୀଚନ୍ଦନ, ସମ୍ପାଦକ ସମ୍ବିତ ଶ୍ରବଣ ବିଶ୍ୱାଳ, ଜୟଶ୍ରୀ ବିଶ୍ୱାଳ, ଲକ୍ଷ୍ମୀକାନ୍ତ ସ୍ୱାଇଁ, ହ୍ରିତିକ୍ ନାୟକ, ଦମୟନ୍ତୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ