ବାଲେଶ୍ୱରରେ ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରୀ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଜିଲା ସଂସ୍କୃତି ଭବନ ପରିସରରେ ନବନିର୍ମିତ ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି (ଭର୍ଚୁଆଲ) ରେ ଗୁରୁବାର ଉଦଘାଟନ କରିଛନ୍ତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ଲଳିତ କଳା ଏକାଡେମୀର ମିଳିତ ଆନୁକୂଲ୍ୟରେ ନିର୍ମିତ ଭୁବନେଶ୍ୱରର କଳିଙ୍ଗ ଆର୍ଟ ଗ୍ୟାଲେରୀ ଏବଂ ଗଞ୍ଜାମ, ପୁରୀ, ବାଲେଶ୍ୱର, ସମ୍ବଲପୁର ଓ କୋରାପୁଟଠାରେ ନିର୍ମିତ ୫ଟି ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରୀକୁ ଏକକାଳୀନ ଉଦଘାଟନ କରାଯାଇଛି । ଉଦଘାଟନ ଅବସରରେ ଓଡିଶାର ସାଂସ୍କୃତିକ ଗୌରବ ଓ ଐତିହ୍ୟ ଉପରେ ଆଲୋକପାତ ସହ ଓଡିଶା ସଂସ୍କୃତି ଏବଂ କଳାର ଗନ୍ତାଘର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆମ ଚିତ୍ରକଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଏବଂ ହସ୍ତଶିଳ୍ପର ପରମ୍ପରା ଅନନ୍ୟ ହୋଇଥିବା ବେଳେ ଏହାର ସୁରକ୍ଷା, ସଂରକ୍ଷଣ ଓ ପ୍ରୋତ୍ସାହନ ସବୁ ବହଲରୁ ମିଳିତ ଉଦ୍ୟମ ଏକାନ୍ତ ଆବଶ୍ୟକ ବୋଲି ସେ ମତ ଦେଇଥିଲେ । ଭୁବନେଶ୍ୱରରେ ଆୟୋଜିତ ଏହି ଆଭାସି କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡ଼ଶା ଲଳିତ କଳା ଏକାଡେମୀ ସଭାପତି ସୁଦର୍ଶନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ.ପାଣ୍ଡିଆନ, ଉନ୍ନୟନ ଆୟୁକ୍ତ ପି.କେ. ଜେନା ପ୍ରମୁଖ ଉପସ୍ଥିତ ଥିଲେ ।ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ଲଳିତ କଳା ଏକାଡେମୀ କାର୍ଯ୍ୟକାରିଣୀ ସଦସ୍ୟ ଗଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଆଭାସିରେ ଉଦଘାଟନ କରିବା ପରେ ବାଲେଶ୍ୱର ସଦର ବିଧାୟକ ଶ୍ରୀ ଦାସ ଓ ଅନ୍ୟାନ୍ୟ ଅତିଥିମାନେ ନୂତନ ଗ୍ୟାଲେରୀର ଫଳକ ଅନାବରଣ କରିଥିଲେ । ବାଲେଶ୍ୱରର ଏହି ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ସ୍ଥାନୀତ ବିଭିନ୍ନ ଚିତ୍ରଶିଳ୍ପୀଙ୍କ ୩୩ରୁ ଊର୍ଦ୍ଧ୍ୱ ଚିତ୍ରକଳାକୁ ଅତିଥିମାନେ ବୁଲି ଦେଖିବା ସହ ଏହାର ଉଚ୍ଚ ପ୍ରଶଂସା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ