ସମୀକ୍ଷା ସମ୍ବାଦପତ୍ରର ୧୬ତମ ସ୍ୱନକ୍ଷତ୍ର ଦିବସ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଆଜି “ସମୀକ୍ଷା ଆମ ସମୟର “ସାପ୍ତାହିକ ସମ୍ବାଦପତ୍ର’ର ୧୬ତମ ବାର୍ଷିକୋତ୍ସବ ଓ ସମ୍ମାନ ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ସୁଭାଷ ଚନ୍ଦ୍ର ସିଂ ଯୋଗ ଦେଇ ଓଡିଶାରୁ କୋଟିଆକୁ କେହି ନେଇ ପାରିବେ ନାହିଁ ବୋଲି କହିଛନ୍ତି । ଆନ୍ଧ୍ର ସୀମାନ୍ତବର୍ତ୍ତୀ କୋଟିଆ ଆନ୍ଧ୍ର ପ୍ରଦେଶ ଅଧିନକୁ ଚାଲିଯିବ ବୋଲି କେତେକ ମହଲରେ ସୃଷ୍ଟି ହୋଇଥିବା ଆଶଙ୍କା ଭିତ୍ତିହୀନ ବୋଲି ସେ କହିଛନ୍ତି । ତେଣୁ ରାଜ୍ୟ ତଥା ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଗଣମାଧ୍ୟମ ଏକ ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଜୟଦେବ ଭବନଠାରେ ଆଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପ୍ରାକ୍ତନ ସୂଚନା କମିଶନର ଜଗଦାନନ୍ଦ ଉତ୍ସବକୁ ଉଦ୍ଘାଟନ କରି ତୃଣମୂଳ ସ୍ତରରେ ଥିବା ସଂବେଦନଶୀଳ ସମସ୍ୟାଗୁଡିକୁ ସଂବାଦପତ୍ର ମାଧ୍ୟମରେ ଲୋକଲୋଚନକୁ ଅଣାଯିବା ଉଚିତ ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ତଥା “ବଡ ଖବର’ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସୁପ୍ତ ଜନତାଙ୍କୁ ଜାଗ୍ରତ କରିବା ଗଣମାଧ୍ୟମର ପ୍ରଧାନ ଦାୟିତ୍ୱ ବୋଲି ମତ ପ୍ରକାଶ କରିଛନ୍ତି । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବାପି ମିଶ୍ର ଯୋଗ ଦେଇ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଲୋକଲୋଚନକୁ ଆଣିବା ଗଣମାଧ୍ୟମର କର୍ତ୍ତବ୍ୟ ବୋଲି କହିଥିଲେ । ଏହି ଅବସରରେ “ସମୀକ୍ଷା’ର ଏକ ସ୍ୱତନ୍ତ୍ର ବିଶେଷାଙ୍କକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ସଭାରେ “ସମୀକ୍ଷା’ର ସମ୍ପାଦକ ଡଃ ମହେଶ୍ୱର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କୃତିତ୍ୱ ଅର୍ଜନ କରିଥିବା ସ୍ୱାସ୍ଥ୍ୟସେବା ପାଇଁ ଡ଼ା ଚିତ୍ତରଞ୍ଜନ ମିଶ୍ର, ସୁଲେଖକ ଭାବେ ଶ୍ରୀ ନରେଶ ଚନ୍ଦ୍ର ସାହୁ, ସାମାଜିକ ସଂଗଠକ ଭାବେ ଶୁଭ୍ରାଂଶୁ ଶେଖର ସ୍ୱାଇଁ, ଯୁବ ସାମ୍ବାଦିକତା କ୍ଷେତ୍ରରେ ଶ୍ରୀ ରାଧାମାଧବ ମିଶ୍ର, ଶ୍ରୀ ସମୀର ଆଚାର୍ଯ୍ୟ ଏବଂ ଶ୍ରୀ ଲକ୍ଷ୍ମୀଧର ରଣା ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସାମ୍ବାଦିକା ଦେବସ୍ମିତା ମହାନ୍ତି ମାନପତ୍ର ପାଠ କରିଥିଲେ । ସଭାପତିଙ୍କ ଅଭିଭାଷଣ ପରେ ସାମ୍ବାଦିକ ଜିତେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


