ବିଭିନ୍ନ ଦାବି ନେଇ ଅଙ୍ଗନବାଡ଼ି କର୍ମୀ-ସହାୟିକା ସଂଘର ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା) :-ବିଭିନ୍ନ ଦାବି ନେଇ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଜିଲାର ବିଭିନ୍ନ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କୁ ନେଇ ବାଲେଶ୍ୱର ରେଳ ଷ୍ଟେସନରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହ ଜିଲାପାଳଙ୍କ ଫାଟକ ନିକଟରେ ପହଞ୍ôଚଥିଲା । ବିକ୍ଷୋଭ ସ୍ଥଳରେ ଆୟୋଜିତ ପ୍ରତିବାଦ ସଭାରେ ସଂଘର ସଭାପତି ଗୌରାଙ୍ଗ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦିକା ଗୌରୀ ଦାସ ୧୧ଦଫା ଦାବି ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ଦାବି ପୂରଣ ନହେଲେ ଆସନ୍ତା ଜୁଲାଇ ପହିଲାରୁ ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ବନ୍ଦ କରିଦିଆଯିବ ବୋଲି ସେ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଥିଲେ । ବିଶେଷ କରି ବାହାନଗା ସିଡିପିଓଙ୍କ ଶିଶୁମାନଙ୍କୁ ପୋଷାକ ବଣ୍ଟନରେ ଅନିୟମିତତାର ତଦନ୍ତ, କର୍ମୀମାନଙ୍କୁ ନିୟମିତ ମାସିକ ଭତ୍ତା ଓ ଟିଏ-ଡିଏ ପ୍ରଦାନ, ପ୍ରସୂତିକାଳୀନ ଛୁଟିର ପ୍ରାପ୍ୟ, ଶିଶୁମାନଙ୍କ ରନ୍ଧା ଖାଦ୍ୟପାଇଁ ଆବଶ୍ୟକୀୟ ସାମଗ୍ରୀ ବଜାର ଦର ପ୍ରଦାନ, ନିମ୍ନମାନର ମୋବାଇଲ୍‌ର ପରିବର୍ତ୍ତନ, ଅଧିକ କାମକୁ ଅଧିକ ଅର୍ଥ, ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ଅବସର ପରେ ସାମାଜିକ ନିରାପତ୍ତା ଓ ଶିଶୁ ତଥା ପ୍ରସୂତିଙ୍କୁ ଗୁଣବତ୍ତା ଖାଦ୍ୟ ପ୍ରଦାନ ପ୍ରଭୃତି ଦାବି କରାଯାଇଛି । ଏହି ଦାବି ଓ ଆନ୍ଦୋଳନକୁ ସମର୍ଥନ ଜଣାଇ ଏଆଇଟିୟୁସିର ରାଜ୍ୟ ସମ୍ପାଦକ ମାୟାଧର ନାୟକ, ଜିଲ୍ଲା ସମ୍ପାଦକ ଶ୍ୟାମସୁନ୍ଦର ଜେନା, ଶଶିକାନ୍ତ ବେହେରା, ଆଇନଜୀବୀ ନିରଞ୍ଜନ ପରିଡ଼ା, ଶ୍ୟାମସୁନ୍ଦରପୁର ସରପଞ୍ଚ ପୁରୁଷୋତ୍ତମ ସେଠୀ, ସିପିଆଇର ଜିଲା ସମ୍ପାଦକ ନିରଞ୍ଜନ ବାରିକ, ବିଦ୍ୟୁତ କର୍ମଚାରୀ ନେତା ଭରତ ଚନ୍ଦ୍ର ସେଠୀ, ଉଠା ଜଳସେଚନ ଅବସରପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ଶରତ ଚନ୍ଦ୍ର ଦଳାଇ, ଦୟାନିଧି ଦାସଙ୍କ ସମେତ ସଂଘରୁ ଆରତୀ ଦାସମହାପାତ୍ର, କବିତା ମହାନ୍ତି ଓ ରଶ୍ମିରେଖା ଲେଙ୍କା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଦାବିପୂରଣ ଦିଗରେ ଜିଲାପାଳ ଓ ସମାଜ ମଙ୍ଗଳ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଅନ୍ତରାୟ ହୋଇଥିବା ଆରୋପ କରିଥିଲେ । ଏହି ଅବସରରେ ସଂଘର ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକଙ୍କୁ ୧୧ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ଶୋଭାଯାତ୍ରା ଓ ବିକ୍ଷୋଭ ସମାବେଶରେ ବିଭିନ୍ନ ବ୍ଲକ୍ କମିଟି ପକ୍ଷରୁ ଅନୁସୂୟା ଦଳାଇ, ନମିତା ସାହୁ, ମାଳତୀ ମିଶ୍ର, ସୁନନ୍ଦା ତାଲଦି, ରାଜଲକ୍ଷ୍ମୀ ପଣ୍ଡା, ବୀଣାପାଣି ମଲ୍ଲିକ୍‌, ସୁକାନ୍ତି ବିଶ୍ୱାଳ, ସାଗରିକା କର, ବସୁମତୀ ପ୍ରଧାନ, ଜମ୍ବୁବତୀ ମହାନ୍ତି, ଶାନ୍ତିଲତା ମିଶ୍ର, ଗୀତାଞ୍ଜଳି ପଣ୍ଡା ଓ ସବିତା ତ୍ରିପାଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ । ସବିତାରାଣୀ ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ