ଭାରତରେ ପଞ୍ଚମ,ଗଞ୍ଜାମ ଜିଲ୍ଲା ପାଇଁ ଗର୍ବ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ

ପୋଲସରା,(ଅନିଲ କୁମାର ମହାରଣା): ସର୍ବ ଭାରତୀୟ ସ୍ତରରେ ୨୦୨୦ ମସିହାରେ ଶ୍ରେଷ୍ଠ ସରକାରୀ ବିଦ୍ୟାଳୟ ଭାବେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ ପଞ୍ଚମ ସ୍ଥାନ ଅଧିକାର କରି ଗଞ୍ଜାମ ଜିଲ୍ଲା ପାଇଁ ଗର୍ବ ଆଣିପାରିଛି । ଗଞ୍ଜାମ ଜିଲ୍ଲାର ହାତୀଓଟ ଓ ବଲାଙ୍ଗୀର ଜିଲ୍ଲାର ପଥର ଚୋପ୍ରା ଏହି ଦୁଇଟି ବିଦ୍ୟାଳୟ ସର୍ବ ଭାରତୀୟ ସ୍ତରରେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ସ୍ଥାନିତ ହୋଇ ଓଡିଶା ପାଇଁ ଗର୍ବ ଆଣିପାରିଥିବା ଯୋଗୁଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଅଭିନନ୍ଦନ ଜଣାଇଛନ୍ତି । ସେହିପରି ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉଭୟେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ସ୍ମିତା ନାଏକଙ୍କ ସହ ଯୋଗାଯୋଗ ବେଳେ ସେ ପ୍ରକାଶ କରିଥିଲେ ଯେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଆନ୍ତରିକ ଉଦ୍ୟମ ଏବଂ ଅଭିଭାବକ, ଜନସାଧାରଣ, ସ୍ଥାନୀୟ ବିଧାୟକ ଓ ପ୍ରଶାସନର ସହଯୋଗ ଯୋଗୁଁ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରିଛି । ବିଦ୍ୟାଳୟର ପରୀକ୍ଷା ଫଳ ଶତ ପ୍ରତିଶତ ରହିଥିବା ବେଳେ ବିଭିନ୍ନ ସହ ଶୈକ୍ଷିକ ପ୍ରତିଯୋଗିତା ଓ ବିଭିନ୍ନ ବୃତ୍ତି ପରୀକ୍ଷାରେ ଛାତ୍ରଛାତ୍ରୀ ମାନଙ୍କ ସଫଳତା ଆମ ଶିକ୍ଷାନୁଷ୍ଠାନକୁ ଶ୍ରେଷ୍ଠ ସ୍ଥାନକୁ ନେବାରେ ମଧ୍ୟ ସହାୟକ ହୋଇଥିବା ଅଧ୍ୟକ୍ଷା ସ୍ମିତା ନାଏକ କହିଛନ୍ତି । ସର୍ବ ଭାରତୀୟ ସ୍ତରରେ ସରକାରୀ ବିଦ୍ୟାଳୟ ଗୁଡ଼ିକର ବିଭିନ୍ନ ମାନଦଣ୍ଡକୁ ନେଇ ଶ୍ରେଣୀବଦ୍ଧ କରାଯାଇ ଶ୍ରେଷ୍ଠତ୍ଵ ନିର୍ଣ୍ଣୟ କରାଯାଇଥିବା ବେଳେ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଞ୍ଚମ ସ୍ଥାନ ଅଧିକାର କରି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷାଙ୍କ ସମ୍ମାନ ବୃଦ୍ଧି କରିବା ସହ ଗଞ୍ଜାମ ଜିଲ୍ଲାର ଟେକ ରଖିପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ