ମିକ୍ସଚର ମେସିନ ଚୋରି ଘଟଣା ର ତିନି ଦିନ ପରେ ପୋଲିସ କୁ ମିଳିଲା ସଫଳତା
ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡଙ୍ଗା):ଖଲ୍ଲିକୋଟ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରୁ ଚୋରି ହୋଇଥିବା ମିକ୍ସଚର ମେସିନ କୁ ତିନି ଦିନ ପରେ ଉଦ୍ଧାର କରିବା ସହ ଚୋରି କରିଥିବା ଜଣେ ଫିଲ୍ମ ପ୍ରଯୋଜକ ଓ ଚୋରି ମିକ୍ସଚର ମେସିନ କୁ କମ ମୂଲ୍ୟ ରେ କିଣିଥିବା ଜଣେ କବାଡି ଵାଲା କୁ ଗିରଫ କରିଛି ପୋଲିସ ।ଆଜି ଏ ସମ୍ପର୍କରେ ଖଲ୍ଲିକୋଟ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଆଇଆଇସି ଜଗନ୍ନାଥ ମଲ୍ଲିକ ସମସ୍ତ ସୂଚନା ଦେଇଛନ୍ତି ।ଖଲ୍ଲିକୋଟ କରଣ ସାହି ରେ ଚାଲିଥିବା ରାସ୍ତା କାମ ରେ ବ୍ୟବହୃତ ହେଉଥିବା ଏକ ମିକ୍ସଚର ମେସିନ ବନ କାର୍ଯ୍ୟାଳୟ ସମ୍ମୁଖରେ ରହିଥିଲା ।ଗତ ୬ ତାରିଖ ରାତିରେ କୌଣସି ଦୁର୍ବୁତ୍ତ ଏହାକୁ ଚୋରି କରି ନେଇଥିଲେ ।ସିସିଟିଭି ଫୁଟେଜ ରେ ଏକ ମହିନ୍ଦ୍ର ପିକପ ମିକ୍ସଚର ମେସିନ କୁ ଟାଣି ନେଉଥିବା ଦେଖାଯାଇଥିଲା ।ତା ପର ଦିନ ଅର୍ଥାତ ୭ ତାରିଖରେ ମାଲିକ ପ୍ରମୋଦ ସାହୁ ତାଙ୍କର ମିକ୍ସଚର ମେସିନ ଚୋରି ହୋଇଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗ କୁ ଭିତ୍ତି କରି ଥାନା କେସ ନମ୍ବର ୭୫୯/୨୦୨୨ ଅନୁଯାୟୀ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲେ ପୋଲିସ ।ପ୍ରଥମେ ସିସିଟିଭି ଫୁଟେଜ ରେ ଥିବା ପୋଲସରା ଅଞ୍ଚଳର ପିକପ ଗାଡ଼ି ନମ୍ବର ଓଡ଼ି ୦୭ ଏଚ ୯୫୪୨ କୁ ଧରିଥିଲା ପୋଲିସ ।ତା ଠାରୁ ସମସ୍ତ ସୂଚନା ପାଇଥିଲେ ପୋଲିସ ।ଆଇଆଇସି ଙ୍କ କହିବା ଅନୁଯାୟୀ,କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ମେହେନ୍ଦି ନଗର ଗ୍ରାମର ସୁତାଅଂଶୁ ମହାନ୍ତି(୨୬) ଜଣେ ଫିଲ୍ମ ପ୍ରଯୋଜକ ।ତାଙ୍କର ଗୋଟିଏ ଫିଲ୍ମ ରିଲିଜ ହୋଇଥିବା ବେଳେ ଆଉ ଗୋଟିଏ ଫିଲ୍ମ ଜେଜେ ନମ୍ବର ୧ ରିଲିଜ ଅପେକ୍ଷା ରେ ରହିଛି ।ଫିଲ୍ମ ରେ ହୋଇଥିବା କ୍ଷତି କୁ ଭରଣା କରିବା ପାଇଁ ସେ ଚୋରି ପନ୍ଥା କୁ ବାଛିଥିଲେ ।ସେ ଭୁବନେଶ୍ୱର ରୁ ଆସିକା ଟିକେଟ କାଟି ବସ ରେ ବସିଥିଲେ ।ଖଲ୍ଲିକୋଟ ରେ ରାସ୍ତା କଡରେ ଥିବା ମିକ୍ସଚର ମେସିନ କୁ ଦେଖିବା ପରେ ଏହାକୁ ଚୋରେଇ ନେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।ସେ ବୁଢାମ୍ବ ର ଜଣେ ବ୍ୟକ୍ତି ଙ୍କ ଜରିଆରେ ନିଜର ମିକ୍ସଚର ମେସିନ କୁ ଭୁବନେଶ୍ୱର ନେବା ପାଇଁ ପୋଲସରା ର ପିକପ ଗାଡ଼ି କୁ ଯୋଗାଯୋଗ କରିଥିଲେ ।ସୁତାଅଂଶୁ ଙ୍କ କଥାରେ ବିଶ୍ୱାସ କରି ପିକପ ଗାଡ଼ି ଖଲ୍ଲିକୋଟ ରୁ ମିକ୍ସଚର ମେସିନ କୁ ଟାଣି ଭୁବନେଶ୍ୱର ମଞ୍ଚେଶ୍ୱର ନିକଟରେ ଥିବା ରାଜଧାନୀ କଣ୍ଟା ପାଖରେ ଛାଡି ଥିଲେ ।ଏଥିପାଇଁ ଆବଶ୍ୟକ ଭଡା ଦେୟ ଫୋନ ପେ ରେ ଦେଇଥିଲେ ସୁତାଅଂଶୁ ।ଏହାପରେ ଏକ ଅଶୋକ ଲେଇଲେଣ୍ଡ ଗାଡ଼ି ନମ୍ବର ଓଡ଼ି ୦୨ ସିଏ ୨୫୫୨ ଯୋଗେ ମଞ୍ଚେଶ୍ୱର ସ୍ଥିତ କେନାଲ ବନ୍ଧ ନିକଟରେ ଥିବା ଏକ କବାଡି ଖାନା ରେ ମିକ୍ସଚର ମେସିନ କୁ ବିକ୍ରି କରି ଦେଲେ ।କବାଡି ଖାନା ର ମାଲିକ ଉତ୍ତର ପ୍ରଦେଶ ମିର୍ଜାପୁର ଜିଲ୍ଲାର କୋଟୱାଲି ଥାନା ଅନ୍ତର୍ଗତ ସବରୀ ଗ୍ରାମର କିସାନ ଗୁପ୍ତା ଏହାକୁ କିଣି ଥିବାରୁ ଗିରଫ କରିଛି ପୋଲିସ ।ଉଭୟ ସୁତାଅଂଶୁ ଓ କିସାନ କୁ ପୋଲିସ ଗିରଫ କରିବା ସହ ଚୋରି ମିକ୍ସଚର ମେସିନ କୁ ଉଦ୍ଧାର କରି ମାଲିକ ପ୍ରମୋଦ ସାହୁଙ୍କୁ ହସ୍ତାନ୍ତର କରାଯାଇଛି ।ଏହାସହ ମହିନ୍ଦ୍ର ପିକପ ଗାଡ଼ି କୁ ମଧ୍ୟ ତାର ମାଲିକ ଙ୍କୁ ହସ୍ତାନ୍ତର କରିଛି ପୋଲିସ ।


