ମୁତ୍ୟାଲୁ ମାଁ ଠାକୁରାଣୀଙ୍କ ଘଟଯାତ୍ରାରେ ସୁସଜ୍ଜିତ ଆଲୋକମାଳାରେ ଝଲସୁଛି ଅଞ୍ଚଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ୱାର୍ଡ ନମ୍ବର ୨ ରେ ମୁତ୍ୟାଲୁ ମାଁ ଙ୍କ ଘଟଯାତ୍ରା ପର୍ବ ପାଳିତ ହେଉଅଛି । ଏହି ପର୍ବ ଚଳିତ ମାସ ୯ ତାରିଖରେ ଆରମ୍ଭ ହୋଇଥିବା ବେଳେ ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡିଛି । ଏହି ଘଟଯାତ୍ରା ନିମନ୍ତେ ସମଗ୍ର ଅଞ୍ଚଳ ସୁସଜ୍ଜିତ ଆଲୋକମାଳାରେ ଝଲସୁଥିବାର ଦେଖିବାକୁ ମିଳୁଛି । ପ୍ରତିଦିନ ସନ୍ଧ୍ୟା ୭ଘଣ୍ଟା ରୁ ରାତ୍ର ୧୧ ଘଣ୍ଟା ପର୍ଯ୍ୟନ୍ତ ମାଁଙ୍କ ଘଟ ନଗର ପରିକ୍ରମା ସହ ସଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଛି । ମୁତ୍ୟାଲୁମାଆ ପୂଜା କମିଟିର ସମ୍ପାଦକ ମାଧବ ସାହୁ ସୂଚନା ଦେଇ କହିଛନ୍ତି , ଏହି ପୂଜା ବହୁ ପୁରାତନ କାଳରୁ ହେଉଛି । ଏହି ପୂଜା ଆମ ଜାଣତରେ ଆମ ପୂର୍ବ ପୁରୁଷ ମାନେ କରୁଥିଲେ । ଏହାର ପରମ୍ପରାକୁ ରକ୍ଷା କରିବା ପାଇଁ ଏହି ପୂଜା ପ୍ରତି ୫ ବର୍ଷକୁ ଥରେ ହୁଏ କିନ୍ତୁ କୋଭିଡ କଟକଣା ଯୋଗୁଁ ହୋଇପାରୁ ନଥିଲା । ବର୍ତ୍ତମାନ ୭ ବର୍ଷ ପରେ ହେଇଛି । ମୁଖ୍ୟତଃ ଏହି ପୂଜା ଭାଇଚାରା ଓ ଅଧ୍ୟାତ୍ମିକ ଚିନ୍ତାଧାରା ସୃଷ୍ଟି କରିବା ପାଇଁ ଓ ସମସ୍ତଙ୍କ ସହିତ ସୁସମ୍ପର୍କ ରଖି ମାଆଙ୍କ ଆଶୀର୍ବାଦ ନେଇ ଆଗକୁ ଠିକ ସେ ବଢିବା ପାଇଁ ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ । ଏହି ଯାତ୍ରା ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଲୋକ ଆସି ମାଆ ଙ୍କ ଆଶୀର୍ବାଦ ନେଇ ଯାଉଥିବାର ଦେଖିବାକୁ ମିଳିଛି । ସେହିପରି ଏହି ଯାତ୍ରା ଲାଗି ମାନସିକ ଧାରୀ ତଥା କୁନି କୁନି ପିଲାମାନେ ବିଭିନ୍ନ ପାରମ୍ପାରିକ ବେଶବୁଶାସହ ରାମାୟଣ ତଥା ମହାଭାରତର ବିଭିନ୍ନ ଚରିତ୍ରର ବେଶରେ ସହର ପରିକ୍ରମା କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ପୂଜା କମିଟି ପକ୍ଷରୁ ମାଁଆଙ୍କ ଯାତ୍ରା ଲାଗି ଶାନ୍ତି ଶୃଙ୍ଖଳା ପାଳନ କରାଯାଉଛି ।


