ରାଇରଙ୍ଗପୁର ଟ୍ରାକ୍ଟର ମାଲିକ ସଂଘର ନୂତନ କାର୍ଯ୍ୟାଳୟ ଉଦଘାଟିତ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ସଦର ମହକୁମା ରାଇରଙ୍ଗପୁର ସନ୍ନିକଟ ଦୁବୁଲାବେଡାରେ ଅଲ୍ ଟ୍ରାକ୍ଟର ଓନର ଆସୋସିଏସନ୍ , ରାଇରଙ୍ଗପୁରର ନୂତନ କାର୍ଯ୍ୟାଳୟର ଶୁଭ ଉଦ୍ଘାଟିତ ହୋଇଯାଇଛି । ବାମନଘାଟୀ ଉପଖଣ୍ଡର ସହର, ଗ୍ରାମାଞ୍ଚଳରେ କୋଠାବାଡ଼ି,ଚାଷବାଡି,ରାସ୍ତାକାମ,ଓ କ୍ରସରରେ ବିଭିନ୍ନ ସ୍ଥାନରେ ଟ୍ରାକ୍ଟର ନିୟୋଜିତ ହେଉଛି । ବାମନଘାଟି ଉପଖଣ୍ଡର ଉନ୍ନତି, ପ୍ରଗତି ଓ ବିକାଶ ପାଇଁ ଟ୍ରାକ୍ଟର ମାଲିକମାନଙ୍କ ସେବା ଅବର୍ଣ୍ଣନୀୟ ।ବହୁ ଆର୍ଥିକ ଅନାଟନ,ମଥାରେ ଋଣ ବୋଝ, ଅହେତୁକ ତେଲ ଦର ବୃଦ୍ଧି,ଇନ୍ସୁରାନ୍ସ, ରୋଡ଼ ଟେକ୍ସ ଅହେତୁକ ବୃଦ୍ଧି ସହ ଅପର ପକ୍ଷରେ ଗତବର୍ଷ ଫେବୃୟାରୀରୁ ଆଜି ପର୍ଯ୍ୟନ୍ତ କୋଭିଡ କଟକଣାରେ କାମଧନ୍ଦା ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତଥାପି ସେମାନେ ଦୁଃଖରେ ଭାଙ୍ଗି ନ ପଡ଼ି ଅହରହ ସେବା ଯୋଗାଇ ଚାଲିଛନ୍ତି ।ଦିର୍ଘ ଦିନ ହେଲା ଏକ କାର୍ଯ୍ୟାଳୟ ଖୋଲିବା ପାଇଁ ମାଲିକ ସଂଘ ଚିନ୍ତା କରିଥିଲା ।ବହୁ ପ୍ରତିକ୍ଷିତ ପରେ ଏକ କାର୍ଯ୍ୟାଳୟ ରାଇରଙ୍ଗପୁର ନିକଟସ୍ଥ ରାସ୍ତାପାର୍ଶ୍ବ ଦୁବୁଲାବେଡାରେ ସଂଘର ଶତାଧିକ ମାଲିକମାନଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଯାଇଛି ।ପରେ ମାଲିକମାନେ ସାଂପ୍ରତିକ ପରିସ୍ଥିତିରେ ଭୋଗୁଥିବା ଅସୁବିଧା ଓ ସଂଘର ବିକାଶ ସହ ସଂଘର ସଦସ୍ୟ ମାନଙ୍କ ହାଲଚାଲ ଉପରେ ଆଲୋକପାତ କରିଥିଲେ ।ସଂଘର ସଦସ୍ୟମାନେ ଯେକୌଣସି ସମୟରେ ଅସୁବିଧାରେ ପଡ଼ିଲେ ସଂଗେ ସଂଗେ ସଂଘ ଖୁଣ୍ଟ ଭଳି ଛିଡା ହୋଇ ସାହାଯ୍ୟ କରିବ । ତେଣୁ ସମସ୍ତ ସଦସ୍ୟ ସଂଘର ଛତା ତଳେ ଏକାଠି ରହି ଏକ ପ୍ରାଣ ଓ ମନ ନେଇ କାମ କରିବା ପାଇଁ ଶପଥ ନେଇଥିଲେ । କାର୍ଯ୍ୟକ୍ରମରେ ସଂଘର ସଭାପତି- ନଗେନ ସାହୁ, ସଂପାଦକ- ଲାଲା ଭାଇ, ଉପସଭାପତି- ମିଲନ ମହାନ୍ତ ,ସହ ସଂପାଦକ-ଗୁଲାରାମ ମାଝୀ , କୋଷାଧ୍ୟକ୍ଷ-ଭୂପତି ରାଉତଙ୍କ ସମେତ ବାମନଘାଟୀ ଉପଖଣ୍ଡର ୭ଟି ବ୍ଲକ ବିଶୋଇ,ବିଜାତଳା, ରାଇରଙ୍ଗପୁର,କୁସୁମି,ଜାମଦା, ତିରିଂ,ବହଳଦା ଏବଂ ରାଇରଙ୍ଗପୁର ପୌରାଞ୍ଚଳର ଶତାଧିକ ଟ୍ରାକ୍ଟର ମାଲିକମାନେ ଉପସ୍ଥିତ ରହିଥିଲେ । ଶେଷରେ ସଂପାଦକ ଲାଲା ଭାଇ କରୋନା କଟକଣା,ପ୍ରବଳ ଖରାତାତି,ଓ ଆର୍ଥିକ ଅନାଟନ ସତ୍ବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଳମ୍ବରେ ହେଲେ ମଧ୍ୟ ଗୋଟାଏ ଅଫିସ ହୋଇଥିବାରୁ ଏବଂ ସେଠାରେ ସମସ୍ତେ ଏକାଠି ବସି ସୁବିଧା ଓ ଅସୁବିଧା ଉପରେ ଆଲୋଚନା କରି ପାରିବେ ବୋଲି ସମସ୍ତଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି ।


