ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଲକ୍ଷ୍ମୀ ବସ ଯୋଜନାକୁ ବାଲେଶ୍ୱରରେ ବିରୋଧ
ବାଲେଶ୍ଵର, (ସରୋଜ ପଣ୍ଡା):ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଲକ୍ଷ୍ମୀ ବସ ଯୋଜନା ବିରୋଧରେ ଆସନ୍ତା ୨୨ ତାରିଖରୁ ଭୂବନେଶ୍ୱରରେ ହେବାକୁ ଥିବା ଗଣଧାରଣାରେ ସାମିଲ ହେବା ସହ ଡିସେମ୍ବର ୧ ତାରିଖରୁ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଚେତାବନୀ ଦେଇଛି ବାଲେଶ୍ୱର ବସ ମାଲିକ ସଂଘ । ଏହି ପରିପ୍ରେକ୍ଷୀରେ ବସ ମାଲିକ ସଂଘର ସଭାପତି ମାଧବାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସହଦେବଖୁଣ୍ଟା ବସଷ୍ଟାଣ୍ଡ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ଅଜୟ କୁମାର ବିଶ୍ୱାଳ ଯୋଗଦେଇ ଘରୋଇ ବସ ମାଲିକଙ୍କ ସମସ୍ୟା ପ୍ରତି ଉଦାସୀନ ରାଜ୍ୟ ସରକାର ଲାକ୍ମୀ ଯୋଜନା ନାମରେ ବସ ଚଳାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ଏହି ଯୋଜନାରେ ପ୍ରତ୍ୟେକ ପଂଚାୟତରୁ ବ୍ଲକ ଓ ପ୍ରତ୍ୟେକ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ବସ ଚଳାଚଳ ପାଇଁ ସରକାର ଗୁଜରାଟର କମ୍ପାନୀ ପରିଚାଳନା ଦାୟିତ୍ୱ ଦେଇଛନ୍ତି । ସରକାରଙ୍କ ସବସିଡି ଯୁକ୍ତ ଅପେକ୍ଷାକୃତ କମ ଭଡାକୁ ସାମନା କରିନପାରି ଘରୋଇ ବସମାଲିକ ମାନେ ଘୋର ଆର୍ôଥକ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଶ୍ରୀ ବିଶ୍ୱାଳ ଆଶଙ୍କା ପ୍ରକାଶ କରିଛନ୍ତି । ଘରୋଇ ବସ ପାଇଁ ପରିବହନ ବିଭାଗ ଦ୍ୱାରା ସ୍ଥିରୀକୃତ ଷ୍ଟେଜ କ୍ୟାରେଜ ଭଡା ତୁଳନାରେ ସରକାର ଲାକ୍ମୀ ବସ ଚଳାଇବା ପାଇଁ ଘରୋଇ କମ୍ପାନୀଙ୍କୁ କିଲୋମିଟର ପିଛା ବିନା ଏସି ପାଇଁ ୨୯.୫୦ଟଙ୍କା ଓ ଏସି ବସ ପାଇଁ ୨୩ଟଙ୍କା ପ୍ରଦାନ ପାଇଁ ନିଷ୍ପତି କେଉଁ ନ୍ୟାୟରେ ବୋଲି ସେ ପ୍ରଶ୍ନ କରିଥିଲେ । ଏହା ସହିତ ଘରୋଇ ବସ ପାଇଁ ଲାଗୁହେଉଥିବା ରୁଟ ପରମିଟ ଭଳି ବିଭିନ୍ନ ଟ୍ୟାକ୍ସ ଲାକ୍ମୀ ବସ ଉପରେ ଲାଗୁ କରାଯାଉନଥିବା ସେ ଆରୋପ ଉଠାଇଥିଲେ । ଏଥିପାଇଁ ସରକାର ଘରୋଇ ବସ ଗୁଡିକୁ ଲାକ୍ମୀ ଯୋଜନାରେ ସାମିଲ କରାଇବାକୁ ଶ୍ରୀ ବିଶ୍ୱାଳ ଦାବି କରିଥିଲେ । ସରକାରଙ୍କ ଧାର୍ଯ୍ୟ ଦର ଠାରୁ କିଲୋମିଟର ପିଛା ୨୦ଟଙ୍କା କମ୍ରେ ଗାଡିମାଲିକ ମାନେ ବସ ଚଳାଇବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ । ସରକାରଙ୍କ ବସ ମାଲିକ ମାରଣ ନୀତି ବିରୋଧରେ ୨୨ ତାରିଖ ଠାରୁ ଭୁବନେଶ୍ୱର ଠାରେ ଗଣଧାରଣ ଦିଆଯିବା ସହ କୌଣସି ପ୍ରକାର ସମାଧାନର ରାସ୍ତା ନ ବାହାରିଲେ ଆସନ୍ତା ଡିସେମ୍ବର ୧ ତାରିଖରୁ ଜିଲ୍ଲାରେ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଶ୍ରୀ ବିଶ୍ୱାଳ ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ମାନସ ରଞ୍ଜନ ପାତ୍ର, ସହ ସମ୍ପାଦକ ସୂର୍ଯ୍ୟକାନ୍ତ ନନ୍ଦ, କାର୍ଯ୍ୟାଳୟ ସମ୍ପାଦକ ସୁରେଶ ଚନ୍ଦ୍ର ଜେନା, ଉପଦେଷ୍ଟା ଗଣେଶ ଚନ୍ଦ୍ର ଜେନାଙ୍କ ସମେତ ସଞ୍ଜିବ କୁମାର ପଟ୍ଟନାୟକ, ଶ୍ରୀଧର ମହାନ୍ତି, ଜ୍ୟୋତିପ୍ରକାଶ ମହାପାତ୍ର, ପ୍ରଶନ୍ନଜିତ ଜେନା, କମଳାକାନ୍ତ ଦାଶ, ଦୁଷ୍ମନ୍ତ କୁମାର ଦେ, ଅନୀଲ କୁମାର କର, ସୁଧାକୃଷ୍ଣ କର, ସରୋଜ କୁମାର ଷଡଙ୍ଗୀ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।


