ଲୋକେ ଆତଙ୍କିତଗଜପତିରେ ପାହାଡ ଧସିଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଲଗାଣ ବର୍ଷା ଯୋଗୁଁ ଗଜପତିରେ ଏକ ପାହାଡ ଧସି ସଂପୃକ୍ତ ଅଞ୍ଚଳର ଲୋକଙ୍କ ଠାରେ ଭୟ ଓ ଆତଙ୍କର କାରଣ ହୋଇଛି । ଗଜପତି ଜିଲ୍ଲାର ନୁଆଗଡ ଠାରୁ କେରଡାଙ୍ଗ ଦୁର୍ଗମ ଘାଟି ରାସ୍ତାରେ ଥିବା ଝରଣା ଘାଟିର ପାହାଡଟି ଗତକାଲି ଧସିଯାଇଛି । ଏହା ଦ୍ୱାରା ପାହାଡ ଉପରୁ ମାଟି ଓ ଛୋଟ ବଡ ପଥର ଗୁଡିକ ଖସି ଆସିବା ଯୋଗୁଁ ରାସ୍ତା ଅବରୋଧ ହୋଇଥିଲା । ଯଦ୍ୱାରା ଏହି ରାସ୍ତା ଦେଇ କମଳାପୁର,ଭାଲିଆସାହି,କେରଡାଙ୍ଗ,ମାଣିକପୁର,ରଙ୍ଗମୁଣ୍ଡା ଆଦି ଅନେକ ଗ୍ରାମକୁ ଯିବା ଆସିବା କରୁଥିବା ବିଭିନ୍ନ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଗତକାଲି ଦୀର୍ଘ ଘଣ୍ଟା ଗାଡି ଚଳାଚଳ ବନ୍ଦ ପରେ ଅଞ୍ଚଳବାସୀ ଏକତ୍ରୀତ ହୋଇ ଯାନବାହାନ ଚଳାଚଳ ହେବା ପରି ରାସ୍ତାଟିକୁ ସଫେଇ କରିଥିଲେ ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା । ତଥାପି ବର୍ତ୍ତମାନ ସୁଦ୍ଧା ପାହାଡର ମାଟି ଓ ପଥର ରାସ୍ତା କଡରେ ପଡିରହିଛି । ଅଞ୍ଚଳବାସୀ କହୁଛନ୍ତି,ପାହାଡଟି ସୋମବାର ଭୋର ସମୟରେ ଧସିଛି । ଯଦି ଦିନ ବେଳା ଲୋକେ ଯିବା ଅସିବା ସମୟରେ ପାହାଡଟି ଧସିଥାନ୍ତା ତେବେ ଲୋକଙ୍କ ଧନଜୀବନ କ୍ଷତି ଘଟିଥାନ୍ତା । କେବଳ ଏହି ଝରଣାଘାଟି ନୁହେଁ ଏହି ରାସ୍ତାରେ ଥିବା ଅନେକ ପାହାଡ ବର୍ଷା ଦିନେ ଛୋଟ ବଡ ଭାବେ ଧସିବାରେ ଲାଗିଛି । ବର୍ଷାଦିନେ ଏହି ରାସ୍ତା ଦେଇ ଯିବାବେଳେ କାଳେ କେଉଁ ଠାରେ ପାହାଡ ଧସିଯିବ ଆଦି ନେଇ ଭୟ ଓ ଆତଙ୍କରେ ଯାତ୍ରା ଚାଲିଛି । ପାହାଡ ଧସୁଥିବା ଅଞ୍ଚଳରେ ପାହାଡର ପାଦଦେସରେ ସରକାର ପଥର ପ୍ୟାକିଂ କଲେ କିଛି ମାତ୍ରାରେ ପାହାଡ ଧସିବାକୁ ରୋକା ଯାଇପାରିବ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି ।


