ଲୋୟର ବସଷ୍ଟାଣ୍ଡକୁ ଗଡିଲା ସିଟିବସ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : ପବିତ୍ର ଗଣେଷ ଚତୁର୍ଥୀ ଠାରୁ ସିଟିବସ ସମେତ ଅନ୍ୟାନ୍ୟ ମିନିବସ ଗୁଡିକ ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଲୋୟର ବସଷ୍ଟାଣ୍ଡକୁ ଗଡିଲା । ଦୀର୍ଘଦିନ ପରେ ପୁଣି ସିଟିବସ ଓ ଅନ୍ୟାନ୍ୟ ମିନିବସ ଗୁଡିକ ଲୋୟରବସଷ୍ଟାଣ୍ଡ ଦେଇ ଯାତାୟାତ କରିବା ନିମନ୍ତେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ପବିତ୍ର ଗଣେଷ ପୂଜା ଦିନ ଠାରୁ ଏହା ସ୍ୱାଭାବିକ ଭାବେ କିଛି ସମୟ ପାଇଁ ଆସି ଯାତ୍ରୀ ମାନଙ୍କୁ ଓହ୍ଲାଇ ପୁଣି ଯାତ୍ରୀ ଚଢାଇ ନେଉଛନ୍ତି । ଏହାଦ୍ୱାରା ଯାତ୍ରୀଙ୍କ ବହୁ ଦିନର ସମସ୍ୟା ସମାଧାନ ହେଲା । ସୁଚନାଯୋଗ୍ୟ, ଛତ୍ରପୁର ଠାରେ ନୂତନ ବସଷ୍ଟାଣ୍ଡ ହେଲା ପରେ ପରୁଣା ବସଷ୍ଟାଣ୍ଡକୁ ସିଟିବସ ଓ ଅନ୍ୟାନ୍ୟ ବସ ଗୁଡି ଯିବା ଆସିବା କରିବାର ବନ୍ଦ କରାଯାଇଥିଲା । ଯାହାଫଳରେ ଏହି ଅଂଚଳର ଜନସାଧାରଣ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ସରକାରୀ ଚାକିରିଆ ଠାରୁ ଆରମ୍ଭ କରି ବ୍ୟବସାୟୀ, ବରିଷ୍ଠନାଗରିକ ଏବଂ ଦିବ୍ୟାଙ୍କ ବ୍ୟକ୍ତି ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଥିଲେ ଏବଂ ଅଟୋ ଭଡାଦେଇ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ । ପୂର୍ବରୁ ଲୋୟର ବସଷ୍ଟାଣ୍ଡ ଦେଇ ସମସ୍ତ ଗାଡି ଯାତାୟତ କରିବା ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଥିଲ।। ଗତ ୨୯.୦୭.୨୦୧୯ ତାରିଖ ଦିନ ଛତ୍ରପୁର ନାଗରିକ ମିଳିତ ମଞ୍ଚ ପକ୍ଷରୁ ଛତ୍ରପୁର ବିଧାୟକ ଏବଂ ଗଂଜାମ ଜିଲ୍ଲାପାଳଙ୍କ ଏସମ୍ବନ୍ଧରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଧାୟକ ମଧ୍ୟ ଏସମ୍ବନ୍ଧରେ ଜିଲ୍ଲାପାଳଙ୍କ ସହିତ ସ୍ୱତନ୍ତ୍ର ଆଲୋଚନା କରିଥିଲେ । ଜିଲ୍ଲାପାଳ ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ପବିତ୍ର ଗଣେଷ ପୂଜା ଦିନ ଠାରୁ ଲୋଏର ବସଷ୍ଟାଣ୍ଡ ଦେଇ ସିଟିବସ ଓ ଅନ୍ୟାନ୍ୟ ବସ ଯାତାୟତ ଆରମ୍ଭ କରିଥିବାରୁ ଛତ୍ରପୁର ନାଗରିକ ମିଳିତ ମଞ୍ଚ ପକ୍ଷରୁ ଜିଲ୍ଲାପାଳ ଓ ବିଧାୟକଙ୍କୁ ଧନ୍ୟବାଦ ଦିଆଯାଇଛି ।


