ଶାଳଣିଆଁ ଜିଆରଏସଙ୍କ ବଦଳି ଦାବିରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ପଞ୍ଚାୟତ କାର୍ଯ୍ୟାକୁ ଯାଉ ନଥିବାବେଳେ ପଞ୍ଚାୟତର ଉନ୍ନୟନ ମୁଳକ କାର୍ଯ୍ୟରେ ଅସହଯୋଗ କରୁଥିବା ଅଭିଯୋଗ କରି ଆଜି ପଞ୍ଚାୟତବାସୀଙ୍କ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଅଭିଯୋଗ ଅନୁଯାଇ ଜିଆରଏସ ପଞ୍ଚାୟତ ନିର୍ବାଚନ ପରଠାରୁ ଆଜି ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ନାହାନ୍ତି । ପଞ୍ଚାୟତରେ ଆବାସ ଯୋଜନା ହିତାଧିକାରୀ ମାନେ ଘରକାମ ସମ୍ପୁର୍ଣ୍ଣ କରିଥିଲେବି ସେମାନଙ୍କୁ ମନରେଗା ଯୋଜନାର ଅନୁଦାନ ରାଶି ପ୍ରଦାନ କରିବାରେ ସେ ଆଦୌ ଗୁରୁତ୍ୱ ଦେଉ ନାହାନ୍ତି । ଏପରିକି କିଛି ଲୋକ ଘର କରିନଥିବାବେଳେ ତାଙ୍କୁ ମନରେଗା ଯୋଜନାର ଅନୁଦାନ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି । ସେହିପରି ମନରେଗା ଯୋଜନାରେ ଅନୁଦାନ ପାଇଥିବା ପ୍ରକଳ୍ପ ଗୁଡିକର ଜିଓଟେଗ କରୁ ନାହାନ୍ତି କି ମଷ୍ଟରରୋଲ ଏଣ୍ଟ୍ରି କରୁନାହାନ୍ତି । ଯାହାକୁନେଇ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଗୁଡିକ ଅଗ୍ରଗତି କରିପାରୁନି । ଏନେଇ ସରପଞ୍ଚ ବାରମ୍ବାର ବିଡିଓଙ୍କ ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏହାର ପ୍ରତିବାଦରେ ତୁରନ୍ତ ଜିଆରଏସଙ୍କୁ ହଟାଇ ଅନ୍ୟ ଜିଆରଏସଙ୍କୁ ନିଯୁକ୍ତି ଦେଇ କାର୍ଯ୍ୟ କରାଇବାକୁ ସରପଞ୍ଚ ସୁମିତ୍ରା ଯେନା, ସମିତିସଭ୍ୟ ଦିବ୍ୟ ରଞ୍ଜନ ଯେନା, ଆଇନିଜିବୀ ରଙ୍ଗାଧର ମଲ୍ଲିକ, ନାଏବ ସରପଞ୍ଚ ବାସନ୍ତୀ ରାଉଳ, ୱାର୍ଡସଭ୍ୟ ପ୍ରଭାକର ସେଠୀ, ଶାନ୍ତନୁ ପାତ୍ର, ବାସନ୍ତୀ ବେହେରା, ଭାଗିରଥି ଯେନା, ବିକାଶ ସେଠୀ, ବସନ୍ତ ଦେହୁରୀ, ବାବାଜି ରାଉଳ, ଅଶାନ୍ତ ସେଠୀ, ସତ୍ୟବଅତ ବେହେରା, ଦୀପକ ସେଠୀ, ପଙ୍କଜ ସେଠୀ, ରମେଶ କୁଅଁର, ଗୌରାଙ୍ଗ ସା ପ୍ରମୁଖ ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।


