ଢ଼େଙ୍କାକୁ ନୁତନ ପଞ୍ଚାୟତ ସମିତି ଗଠନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଳକ ଢ଼େଙ୍କାଠାରେ ନୁତନ ପଞ୍ଚାୟତ ସମିତି ଗଠନ କରିବାକୁ ଆନନ୍ଦପୁର ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କେନ୍ଦୁଝର ବଞ୍ଚାଅ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଦାବିପତ୍ର ଅନୁଯାଇ ହାଟଡିହି ବ୍ଲକର କେ ବାଲିପାଳ, ହଦଗଡ, ଧନୁର୍ଜୟପୁର, ବାଙ୍ଗୋର, ପଢ଼ିଆରିପଲ୍ଲୀ, ବାଲିବରେଇ, ସୋସୋ, ଢ଼େଙ୍କା ପ୍ରଭୃତି ପଞ୍ଚାୟତ ଗୁଡିକ ଆଦିବାସୀ ବହୁଳ ପଞ୍ଚାୟତ ଭାବେ ପରିଚିତ । ଏହି ପଞ୍ଚାୟତ ଗୁଡିକରେ ଆଦିବାସୀ ମାନଙ୍କର ଜୀବନଧାରଣ ମାନରେ ଉନ୍ନତି ପରିଲକ୍ଷିତ ହେଉନାହିଁ । ଉକ୍ତ ପଞ୍ଚାୟତ ଗୁଡିକ ଆଇଟିଡିଏ ଯୋଜନାରୁ ବଞ୍ଚିତ । ନିକଟରେ ଥିବା ନୁଆସାହି କ୍ରୋମାଇଟ ମାଇନ୍ସ, ଓ ଫେକର ଖଣି ବନ୍ଦ ହୋଇଯିବାରୁ ଏବଂ ଏମସି ବାଙ୍ଗୁର ଖଣି ଠିକ ଭାବେ ଚାଲୁ ନଥିବାରୁ ଅଞ୍ଚଳବାସୀଙ୍କ ଦୁଖଃ ବଢ଼ି ଯାଇଛି । ଫଳରେ ପ୍ରାଚର୍ଯ୍ୟତା ଭିତରେ ଜନ୍ମନେଇ ବଢ଼ିଥିବା ଅଞ୍ଚଳବାସୀ ଏବେ ଦାରିଦ୍ରତା ଭିତରେ ସଢ଼ୁଛନ୍ତି । ଏ ଅଞ୍ଚଳର ମୁଖ୍ୟ ବାଣିଜ୍ୟିକ ପେଣ୍ଠସ୍ଥଳି ଢ଼େଙ୍କା ଠାରେ ନୁତନ ପଞ୍ଚାୟତ ସମିତି ଗଠନ କରାଯିବା ସହିତ ଷ୍ଟେଟବ୍ୟାଙ୍କର ଏକ ଶାଖା ନିର୍ମାଣ କରାଗଲେ ଅଞ୍ଚଳବାସୀ ବହୁ ଉପକୃତ ହୋଇ ପାରନ୍ତେ ବୋଲି କେନ୍ଦୁଝର ବଞ୍ଚାଅ ମଞ୍ଚ ପକ୍ଷରୁ ଉଲେଖ କରାଯାଇଛି । ସେହିପରି ନୁଆସାହି କ୍ରୋମାଇଟ ମାଇନ୍ସ ଓ ଓଏମସି ଭଳି ଖଣିକୁ ତୁରନ୍ତ କାର୍ଯ୍ୟକ୍ଷମ କରାଗଲେ ଅଞ୍ଚଳର ଦୃତ ବିକାଶ ହୋଇପାରିବ ବୋଲି କେନ୍ଦୁଝର ବଞ୍ଚାଅ ମଞ୍ଚର ଆବାହକ ବିଶ୍ୱରଞ୍ଜନ ବେହେରା ଦାବି କରିଛନ୍ତି । ମଞ୍ଚର ଏପରି ଦାବିକୁ ଆଦିବାସୀ ସଂଗ୍ରାମ ମଞ୍ଚର ସଭାପତି ଆଡଭୋକେଟ ମେଘନାଥ ମାଝୀ, ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ପୁର୍ବତନ ଅତିରିକ୍ତ ଜିଲ୍ଲାପାଳ ନୃସିଂହ ଚରଣ ଦେହୁରୀ, ଶତୃଘ୍ନ ବେହେରା, ରେବତୀ ନାୟକ, ଭୀମସେନ ନାଏକ ପ୍ରମୁଖ ସମର୍ଥନ କରିଛନ୍ତି ।


