ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ନେଇ ଦ୍ୱନ୍ଦରେ ବିଦ୍ୟାଳୟ କର୍ତ୍ତୃପକ୍ଷ
ହିଞ୍ଜିଳିକାଟୁ, (ୱାଇଏନଏସ): ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସକାଶେ ରାଜ୍ୟ ସରକାର ଗତ ମାର୍ଚ୍ଚ ୧୬ ତାରିଖ ଠାରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରୀ କରିଥିଲେ । ସଂପୃକ୍ତ ସମୟ ମଧ୍ୟରେ କିଛି ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କ ବାର୍ଷିକ ପରୀକ୍ଷାର କିଛି ଅଂଶ ବାକି ରହିଥିଲା । ଲକଡ଼ାଉନ ଯୋଗୁଁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବାରୁ ଶିକ୍ଷାର୍ଥୀ ମାନେ ବକେୟା ରହିଥିବା ପରୀକ୍ଷା ଦେଇ ପାରିନଥିଲେ । ବାକି ରହିଥିବା ବିଷୟ ଗୁଡ଼ିକ ପରୀକ୍ଷା ନଦେଇ ମଧ୍ୟ ଶିକ୍ଷାର୍ଥୀ ମାନଙ୍କୁ ପରବର୍ତି ଶ୍ରେଣୀକୁ ଉତିର୍ଣ୍ଣ କରିବା ସକାଶେ ଏପ୍ରିଲ ୧୫ ତାରିଖରେ ସରକାର ନିର୍ଦ୍ଦେଶ ଦେଇଥିଲେ । ପୁର୍ନବାର ଶିକ୍ଷାର୍ଥୀଙ୍କ ନାମଲେଖା ଆସନ୍ତା ଜୁଲାଇ ମାସ ୧୫ ତାରିଖ ମଧ୍ୟରେ ଶେଷ କରିବାକୁ ଗଣଶିକ୍ଷା ବିଭାଗୀ ଚିଠି ସଂଖ୍ୟା ୮୦୫୯/୦୫.୦୬.୨୦ପ୍ରକାରେ ନିର୍ଦ୍ଦେଶ ଜାରୀ କରିଛନ୍ତି । ଚଳିତ ଶିକ୍ଷାବର୍ଷର ଶେଷ ଦିବସ ଅର୍ଥାତ ୩୧.୦୩.୨୦ ସୁଦ୍ଧା ଅଧ୍ୟୟନ କରୁଥିବା ଶ୍ରେଣୀରୁ ପରବର୍ତି ଶ୍ରେଣୀକୁ ଉତୀର୍ଣ୍ଣ ସକାଶେ ନିୟମ ରହିଛି । ଅଷ୍ଟମ ଶ୍ରେଣୀର ଶିକ୍ଷାର୍ଥୀ ମାନେ ମାର୍ଚ୍ଚ ୩୧ ତାରିଖ ଦିନ ନବମ ଶ୍ରେଣୀକୁ ଉତୀର୍ଣ୍ଣ ହେବାକୁ ଥିବା ବେଳେ ରାଜ୍ୟ ସରକାର ତରବରିଆ ଭାବେ ୩ମାସ ସକାଶେ ଅର୍ଥାତ ଜୁନ ମାସ ୧୫ ତାରିଖ ପର୍ଯ୍ୟନ୍ତ ଅଗ୍ରୀମ ଭାବେ ମଧ୍ୟାନ୍ନ ଭୋଜନ ସକାଶେ ଚାଉଳ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ନବମ ଶ୍ୟେଣୀକୁ ଉତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀ ମାନେ ମଧ୍ୟାନ୍ନ ଭୋଜନ ବାବଦକୁ ଚାଉଳ ପାଇବା ପାଇଁ ଯୋଗ୍ୟ ହେବା କଥା ନୁହେଁ । କିନ୍ତୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ସେମାନଙ୍କର ଶ୍ରେଣୀ ଉତୀର୍ଣ୍ଣ ହେବା ସମସୟସୀମା ପରେ ମଧ୍ୟ ମଧ୍ୟାନ୍ନ ଭୋଜନ ବାବଦକୁ ଚାଉଳ ଦିଆଯ୍ଧବଥିବା ବେଳେ ବର୍ତମାନ ବ୍ୟାଙ୍କ ଆକାଊଂଟ ନମ୍ବର ମାଗି ରାସନ ବାବଦକୁ ତିନି ମାସର ନଗଦ ଅର୍ଥ ପ୍ରଦାନ କରାଯାଉଛି । ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ସୂଚନା ପ୍ରକାରେ ଜୁନ ୧୭ ତାରିଖରେ ବିଦ୍ୟାଳୟ ପୁନଃ ଆରମ୍ଭ କରିବା ସକାଶେ ନିଷ୍ପତି ଗ୍ରହଣ କରାଯାଇଥିଲା । ମାତ୍ର କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାର ଲକଡ଼ାଉନ ଘୋଷଣା କରିଛନ୍ତି । ଲକଡ଼ାଉନକୁ ଆଖି ଆଗରେ ରଖି ବିଦ୍ୟାଳୟ ଗୁଡ଼ିକ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଚଳିତ ମାସ ୫ ତାରିଖରେ ସରକାର ନୂତନ ନିୟମ ପ୍ରଚଳନ କରିବା ସହ ଚଳିତ ମାସ ୮ ତାରିଖ ଠାରୁ ଆସନ୍ତା ଜୁଲାଇ ୧୫ ତାରିଖ ମଧ୍ୟରେ ନାମ ଲୋଖାଇବା ସକାଶେ ନିର୍ଦ୍ଦେଶ ଦେଇଛନ୍ତି । ସଂପ୍ୟକ୍ତ ସମୟ ମଧ୍ୟରେ ଯେଉଁ ଶିକ୍ଷାର୍ଥୀ ମାନେ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ନେଇ ଅନ୍ୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ନାମ ଲେଖାଉଛନ୍ତି ସେହି ଶିକ୍ଷାର୍ଥୀ ମାନେ ମଧ୍ୟାନ୍ନ ଭୋଜନ ବାବଦରେ ପାଇଥିବା ଚାଉଳ ଓ ଅର୍ଥରାଶି ଫେରସ୍ତ କରିବେ ନା କଣ ସେ ନେଇ ଚର୍ଚ୍ଚା ଜୋର ଧରିଛି ।
ଅପର ପକ୍ଷରେ ବିଦ୍ୟାଳୟ କର୍ତୁପକ୍ଷ ଗଣଶିକ୍ଷା ବିଭାଗର ବିଭିନ୍ନ ନିର୍ଦ୍ଦେଶକୁ ନେଇ ଦ୍ୱନ୍ଦରେ ପଡ଼ି ଯାଇଛନ୍ତି । ବିଦ୍ୟାଳୟ କର୍ତୁପକ୍ଷ ପ୍ରତି ବର୍ଷ ଶିକ୍ଷାର୍ଥୀଙ୍କ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ରରେ ପରିତ୍ୟାଗ ତାରିଖ ଶିକ୍ଷାବର୍ଷ,ଶେଷ ଦିବସ ଅର୍ଥାତ ମାର୍ଚ୍ଚ ୩୧ ତାରିଖ ରୂପେ ଲେଖୁଥିବା ବେଳେ ଯେଉଁ ଦିନ ପ୍ରମାଣପତ୍ର ପ୍ରଦାନ କରିଥାନ୍ତି ସେହି ଦିନର ତାରିଖ ଲେଖିଥାନ୍ତି । ମାତ୍ର ଚଳିତ ବର୍ଷ ଶିକ୍ଷାର୍ଥୀ ମାନଙ୍କୁ ଜୁନ ମାସ ୧୫ ତାରିଖ ପର୍ଯ୍ୟନ୍ତ ମଧ୍ୟାନ୍ନ ଭୋଜନ ସକାଶେ ଚାଉଳ ଓ ରାସନ ସାମଗ୍ରୀ ସକାଶେ ଅର୍ଥ ପ୍ରଦାନ କରାଯାଇଥିବାରୁ ଶିକ୍ଷାର୍ଥୀଙ୍କ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ରରେ କେତେ ତାରିଖ ଲେଖିବେ ସେ ନେଇ ଦ୍ୱନ୍ଦରେ ପଡ଼ିଛନ୍ତି । ଏ ନେଇ ଗୋଷ୍ଠୀ ଶିକ୍ଷାଧିକାରୀ ମାନେ ସଠିକ ଭାବେ କୌଣସି ସନ୍ତୋଷଜନକ ଉତର ଦେଇ ପାରୁନଥିବା ବେଳେ ବିଦ୍ୟାଳୟ ପ୍ରଧାନଶିକ୍ଷକ ମାନେ ଦ୍ୱନ୍ଦରେ ପଡ଼ିବା ସହ ହାତ ବାନ୍ଧି ବସିଛନ୍ତି । ଏ ନେଇ ବିଧିବଦ୍ଧ ଭାବେ ସରକାର କିମ୍ବା ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିଲେ ବିଦ୍ୟାଳୟ କର୍ତୁପକ୍ଷ ସଠିକ ଭାବରେ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ପ୍ରଦାନ କରି ପାରିବେ ବୋଲି ବହୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନେ ମତବ୍ୟକ୍ତ କରିଛନ୍ତି ।


