ଟ୍ରାନସପୋର୍ଟିଂ ଅଫିସ୍ରୁ ବନ୍ଧୁକ ଦେଖାଇ ଲୁଟ୍ ଘଟଣା ୩ ଗିରଫ
ଯୋଡ଼ା (ସମୀର କୁମାର ଦାସ) : ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଦେଓଝର ତାରିଣୀ ଛକ ନିକଟରେ ଏକ ଟ୍ରାନସପୋର୍ଟିଂ ଅଫିସ୍ ରୁ ୫ ଜଣ ଦୁର୍ବୁତ ବନ୍ଧୁକ ଦେଖାଇ ୬୦ ହଜାର ଟଙ୍କା ଓ ୨ ମୋବାଇଲ ଲୁଟ୍ କରିନେଇଥିବା ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଝାଡଖଣ୍ଡ ରାଜ୍ୟ ନୂଆମୁଣ୍ଡି ଅଂଚଳର ରିଙ୍କୁ ଦାସ(୨୨), ରାଜା ଦାସ(୨୩)ଓ ସ୍ୱରାଜ୍ ଦାସ(୨୦) । ପୋଲିସ ଅଭିଯୁକ୍ତ ୩ ଜଣଙ୍କୁ ଝାଡଖଣ୍ଡ ରାଜ୍ୟ ନୂଆମୁଣ୍ଡି ଅଂଚଳରୁ ଗିରଫ କରିଥିଲା । ସୂଚନା ଯୋଗ୍ୟ ଯେ, ଗତ ସୋମବାର ଅପରାହ୍ନ ୩ଟା ୪୦ ମିନିଟ୍ ସମୟରେ ୫ ଜଣ ଦୁର୍ବୁତ ବାଇକ ଯୋଗେ ଆସି, ବିଲେଇପଦା ଫାଣ୍ଡି ଦେଓଝର ପନଚାୟତ ତାରିଣୀ ଛକ ନିକଟରେ ଥିବା ଆଦିତ୍ୟ ଟ୍ରାନସପୋର୍ଟର ସଂସ୍ଥାର ଅଫିସ୍ ଭିତରକୁ ପଶି ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ଅକ୍ଷୟ କୁମାର ନାଏକ ଓ ଅର୍ଜୁନ ଗିରିଙ୍କୁ ବନ୍ଧୁକ ଦେଖାଇ ତାଙ୍କଠାରୁ ୬୦ ହଜାର ଟଙ୍କା ଓ ୨ ଟି ମୋବାଇଲ୍ ଲୁଟ୍ କରିନେଇଥିଲେ । ଅଫିସର ଅନ୍ୟ କର୍ମଚାରୀମାନେ ଜାଣି ଦୌଡି ଆସିଥିଲେ ହେଁ, ଦୁର୍ବୁତମାନେ ସେଠାରୁ ଚମ୍ପଟ ମାରିଥିଲେ । ଅଭିଯୋଗ ହେବା ପରେ ପୋଲିସ କେଶ୍ ନଂ ୨୬/୨୦୨୦ ରୁଜୁ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ତେବେ ପୋଲିସ ବୁଧବାର ଉକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଦଫା ୩୯୫ ଆଇପିସି ୨୫ ଆର୍ମସ ଆକ୍ଟ ରୁଜୁ କରି ଗୁରୁବାର କୋର୍ଟ ଚାଲାଣ କରିଥିବା ବିଲେଇପଦା ଫାଣ୍ଡି ଅଧିକାରୀ ଶେଖ୍ ଆଜାରୁଦ୍ଧିନ୍ ସୂଚନା ଦେଇଛନ୍ତି ।


