ଯାତ୍ରୀବାହୀ ବସରେ ଶିକ୍ଷକଙ୍କୁ ନିଶାଦ୍ରବ୍ୟ ସୁଙ୍ଘାଇ ଟଙ୍କା ଓ ମୁଦି ଲୁଟ୍

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ବସଷ୍ଟାଣ୍ଡ ଠାରେ ସାଇସୁଧା ନାମକ ଏକ ଯାତ୍ରୀବାହୀ ଘରୋଇ ବସ ମଧ୍ୟରୁ ଜଣେ ଚେତା ଶୂନ୍ୟ ଅବସ୍ଥାରେ ଥିବା ଜଣେ ଶିକ୍ଷକ ଙ୍କୁ ପରିବାର ଲୋକେ ଉଦ୍ଧାର କରିଛନ୍ତି । ଶିକ୍ଷକ ଜଣକ ହେଲେ ରାୟଗଡ଼ା ଜିଲା ବନ୍ଧୁଗାଁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ଶିକ୍ଷକ ବି. ଶ୍ରୀନିବାସ ରେଡ୍ଡୀ । ଶିକ୍ଷକ ବି. ଶ୍ରୀନିବାସଙ୍କୁ କୈାଣସି ଦୁର୍ବୃତ୍ତ ଚଳନ୍ତା ବସ୍ ରେ ନିଶାଦ୍ରବ୍ୟ ଶୁଙ୍ଗାଇ ତାଙ୍କ ପକେଟରୁ ଟଙ୍କା ଓ ସୁନା ମୁଦି ନେଇ ଚମ୍ପଟ ମାରିଥିବା ଜଣାପଡିଛି । ଲୁଟ୍ ର ଶିକାର ହୋଇଥିବା ଶିକ୍ଷକ ଶ୍ରୀନିବାସଙ୍କ ଘର ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ତଥା ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ଗୈାତମୀ ଗ୍ରାମରେ ବୋଲି ଜଣାପଡିଛି । ପରିବାର ଲୋକଙ୍କ କହିବା ଅନୁଯାୟୀ ଶ୍ରୀନିବାସ ଶନିବାର ସକାଳୁ ରାୟଗଡ଼ା ବସଷ୍ଟାଣ୍ଡରୁ ଘରୋଇ ଯାତ୍ରୀବାହୀ ବସ୍ ସାଇସୁଧାରେ ନିଜ ଗ୍ରାମ ଗୌତମି ଫେରୁଥିବା ସମୟରେ କୌଣସି ଦୃର୍ବୁତ୍ତ ଶ୍ରୀନିବାସଙ୍କ ପାଖ ସିଟରେ ବସିଥିଲେ । ଏହାପରେ ଲୁଟେରା ଜଣକ କୌଶଳ କ୍ରମେ ତାଙ୍କ ନାକରେ କୌଣସି ନିଶା ଦ୍ରବ୍ୟ ସୁଙ୍ଘାଇ ଚେତାଶୂନ୍ୟ କରିବା ପରେ ଶ୍ରୀନିବାସଙ୍କ ମନିପର୍ସରେ ଥିବା ଟଙ୍କା ଓ ହାତରୁ ସୁନାମୁଦି ଲୁଟି ନେଇ କେଉଁଠାରେ ଓହ୍ଲାଇ ପଡ଼ିଥିବା ଜଣାପଡିଛି । ପରିବାର ଲୋକେ ବାରମ୍ବାର ଶ୍ରୀନିବାସଙ୍କ ମୋବାଇଲ ଫୋନକୁ ଫୋନ୍ କରିବା ସତ୍ତ୍ୱେ ସେ ଫୋନ ନ ଉଠାଇବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ଯାହାଫଳରେ ସେମାନେ ଶନିବାର ସନ୍ଧ୍ୟାରେ ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟରେ ବସକୁ ଅପେକ୍ଷା କରିଥିଲେ । ବସଷ୍ଟାଣ୍ଡରେ ବସ୍ ପହଞ୍ଚିବାପରେ ପରିବାର ଲୋକେ ବସ୍ ଭିତରକୁ ଯାଇ ଦେଖିବା କ୍ଷଣି ଶ୍ରୀନିବାସ ଚେତା ଶୂନ୍ୟ ଅବସ୍ଥାରେ ପଡିରହିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ପଠାଇ ଦିଆଯାଇଥିଲା । ସେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି । ତେବେ ଚଳନ୍ତା ବସ ଭିତରେ ବହୁ ସଂଖ୍ୟକ ଯାତ୍ରୀ ଓ ବସ୍ କର୍ମଚାରୀ ଥିବା ସତ୍ତ୍ବେ ଦୁର୍ବୃତ୍ତ ଜଣକ ସାହସର ସହିତ ଏଭଳି କାମ କରିଥିବା ସମ୍ପର୍କରେ କେହି ବି ଜାଣିପାରିନଥିବା ଘଟଣା ସାଧାରଣରେ ଚର୍ଚ୍ଚା ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ