ସୀମାନ୍ତବର୍ତ୍ତୀକୁ ନେଇ ଉତ୍କଳ ସମ୍ମିଳନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଓଡିଶାର ଦକ୍ଷିଣ ଉପାନ୍ତରେ ଅବସ୍ଥିତ । ଏହାର ଦକ୍ଷିଣ ସୀମାରେ ଅବସ୍ଥିତ ୬୫ ଗୋଟି ମୌଜା ଆନ୍ଧ୍ର ପ୍ରଦେଶ ରାଜ୍ୟର ଶ୍ରୀକାକୁଲମ ସ୍ପର୍ଷ କରୁଥିବାରୁ ପୂର୍ବତନ ପାରଳାଖେମୁଣ୍ଡି ଜମିଦାରୀର ଏହି ମୌଜା ଗୁଡିକ ମଧ୍ୟରୁ ଜମିଦାରୀ ଉଚ୍ଛେଦ ପରଠାରୁ ଅନେକ ମୌଜା ସହ ସୀମା ବିବାଦ ଲାଗିରହିଥିଲା । ଇତି ମଧ୍ୟରେ ଅନେକ ବିବାଦ ଆନ୍ଧ୍ର ସହ ଆପୋସ ଭାବେ ସମାଧାନ କରାଯାଇଥିଲେ ସୁଦ୍ଧା ହାଡୁଭାଙ୍ଗି, ଭେଙ୍କଟାପୁର, ଗୁଡିଖୁଡି, ନାଲାବାଣଣ୍ଠୁ, ଚେରୁଗୁଡି ପ୍ରଭୃତି ମୌଜା ଗୁଡିକରେ ସୀମା ବିବାଦ ଗୁଡିକର ସ୍ଥାୟୀ ସମାଧାନ ହୋଇ ନାହିଁ । ଯଦି ଓ ସରକାରୀ ଭାବେ କେବଳ ଦୁଇଟି ମୌଜା ଯଥା ଭେଙ୍କଟାପୁର ଏବଂ ନାଲାବାଣ୍ଠୁ ମୌଜାର ବିବାଦ କେବଳ ଅସମାହିତ ଭାବେ ଥିବା କୁହାଯାଉଛି । କାଶୀନଗର ତହସିଲର ହାଡୁଭାଙ୍ଗି ମୌଜାରେ ଖାତା ନଂ. ୮୨, ପ୍ଲୋଟ ନମ୍ବର ୮୧୩ରେ ଆନ୍ଧ୍ରର ମଣ୍ଡଳ ପରିଷଦ ଉନ୍ନିତ ପାଠଶାଳା ନାମରେ ଏକ ସ୍କୁଲ ଗୃହ ୧୯୭୪ ମସିହା ପୂର୍ବରୁ ଚାଲିଥିବା ଓଡିଶାର ହାଡୁଭାଙ୍ଗି ମୌଜାର ରାଜସ୍ୱ ଖତିଆନରୁ ଜଣାଯାଏ । ଏହି ବିଦ୍ୟାଳୟ ସମ୍ପୃକ୍ତ ଜମିଟି ଏକରୟତି ଜମି ଏବଂ ଏହାର ମାଲିକ ଭାବେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ସମେତ ଅନ୍ୟମାନଙ୍କର ନାମ ରହିଅଛି । ଉକ୍ତ ବିଦ୍ୟାଳୟରେ ଆନ୍ଧ୍ର ପ୍ରଦେଶ ସରକାର ତାଙ୍କ ପ୍ରଶାସନିକ କାର୍ଯ୍ୟକାରୀ ରଖିଛନ୍ତି । ଯାହାକି ଓଡିଶାର ସ୍ୱାଭିମାନ କ୍ଷୁର୍ଣ୍ଣ କରୁଛି । ରାୟଗଡ ତହସିଲର ଗଙ୍ଗାବାଡ ଗ୍ରାମପଞ୍ଚାୟତ ଅଧିନ ଗୁଡିଖୁଡି ମୌଜା ସୀମା ମଧ୍ୟରେ ଆନ୍ଧ୍ର ପ୍ରଦେଶ କଳିଙ୍ଗଦଳା ନାମରେ ଗୋଟିଏ ବିଶାଳ ମାଟିବନ୍ଧ ନିର୍ମାଣ କରିଛି । ଏହି ବନ୍ଧ ନିର୍ମାଣ ବେଳେ ଓଡିଶା ଓ ଆନ୍ଧ୍ର ପୋଲିସ ୧୯୯୧-୯୨ରେ ମୁହାଁମୁହିଁ ହୋଇଥିଲେ । ତତ୍କାଳୀନ ରାଜସ୍ୱମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ସରଜମିନ ଅନୁଧ୍ୟାନ କରିବାକୁ ଆସିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏଥିରେ ହସ୍ତକ୍ଷେପ କରି ତତ୍କାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍‌.ଟି.ରାମାରାଓଙ୍କ ସହ ବିବାଦର ସମାଧାନ ପାଇଁ ଏକ ବୁଝାମଣା କରିବାରୁ ଅସ୍ଥାୟୀ ଭାବେ ସମସ୍ୟାର ସମାଧାନ ହୋଇଥିଲା କିନ୍ତୁ ଯେଉ ସର୍ତ୍ତରେ ବିଜୁ ବାବୁ ବୁଝାମଣା କରିଥିଲେ ତାହା ହେଲା ବିବାଦୀୟ ଜମିକୁ ଆପାତତଃ ଓଡିଶାର ବୋଲି ଆନ୍ଧ୍ର ସ୍ୱୀକାରୋକ୍ତି, ମାମଲା ସର୍ବଚ୍ଚ ନ୍ୟାୟାଳୟରେ ଥିବାରୁ କୋର୍ଟ ଆନ୍ଧ୍ର ସପକ୍ଷରେ ଯାଇ ବିବାଦୀୟ ଅଞ୍ଚଳକୁ ଆନ୍ଧ୍ର ମାଲିକାନାକୁ ଯିବ, ସମ୍ପୃକ୍ତ ବିବାଦୀୟ ଜମି ପାଇଁ ଆନ୍ଧ୍ର ଓଡିଶାକୁ ସହଚୁକ୍ତିବଦ୍ଧ ହୋଇ ଉକ୍ତ ଜମି ଲିଜ୍ ବର୍ତ୍ତମାନ ପାଇଁ ଲିଜ୍ ବାବଦ ଟଙ୍କା ଓ ବୁଡିବାକୁଥିବା ଜଙ୍ଗଲପାଇଁ କ୍ଷତିପୂରଣ ଦାଖଲ କରିବ । ଯଦି ଉଚ୍ଚ ନ୍ୟାୟାଳୟ ଓଡିଶା ସପକ୍ଷରେ ନ୍ୟାୟ ଦିଅନ୍ତି ଓଡିଶା ଆନ୍ଧ୍ରରୁ ଉକ୍ତ ଚୁକ୍ତି ବାବଦରେ ପାଇଥିବା ଲିଜ୍ ଟଙ୍କା ବା କ୍ଷତିପୂରଣ ଆଉ ଫେରାଇବ ନାହିଁ, ଆନ୍ଧ୍ର ପ୍ରଦେଶ ଉକ୍ତ ଚୁକ୍ତି ଆଧାରରେ ନିର୍ମାଣ କାର୍ଯ୍ୟ କରିବ ଓ ଓଡିଶା ସେଥିରେ ଆପତ୍ତି କରିବ ନାହିଁ । ଉକ୍ତ ବୁଝାମଣା ଅନୁସାରେ ଆନ୍ଧ୍ର ସେହି କଳିଙ୍ଗଦଳା ପ୍ରକଳ୍ପର ନିର୍ମାଣ ଏକ ଦଶନ୍ଧି ହେଲା ସମ୍ପୂର୍ଣ୍ଣ କରିସାରିଥିଲେ ସୁଦ୍ଧା ଉକ୍ତ ଚୁକ୍ତି ମୁତାବକ ଓଡିଶାକୁ ଅର୍ଥ ପୈଠ କଲେକି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅଜ୍ଞାତ ରହିଛି । ଯାହା ଶୁଣାଯାଏ ଆନ୍ଧ୍ର ପକ୍ଷ ଏପର୍ଯ୍ୟନ୍ତ ଚୁକ୍ତି ମୁତାବକ ଅର୍ଥ ପୈଠ କରି ନାହାନ୍ତି । ଚୁକ୍ତି ସ୍ୱାକ୍ଷରିତ ହେଲା କି ନାହିଁ ତାହା ମଧ୍ୟ ସର୍ବସାଧାରଣଙ୍କୁ ଅଗୋଚର । ୦୧.୦୪.୧୯୩୬ରେ ସ୍ୱତନ୍ତ୍ର ଓଡିଶା ଗଠନ ବେଳେ ପାରଳାଖେମୁଣ୍ଡି ଜମିଦାରୀର ଏକ ତୃତୀୟାଂଶ ଗ୍ରାମ ମାନ୍ଦ୍ରାଜରେ ରହିଗଲା । ଯାହା ବର୍ତ୍ତମାନ ଆନ୍ଧ୍ରରେ ରହିଅଛି । ସେତେବେଳେ ଓଡିଶା ଅଞ୍ଚଳରେ ଅବସ୍ଥିତ ଗଜପତି ସାଗର ଓ ସୀତା ସାଗର ପରି କେତେକ ଜଳ ସେଚନ ପ୍ରକଳ୍ପର ଆନିକଟ ଓଡିଶା ସୀମା ବାହାରେ ବର୍ତ୍ତମାନର ଆନ୍ଧ୍ର ସୀମା ମଧ୍ୟରେ ରହିଯିବାରୁ ସମ୍ପୃକ୍ତ ଜମିରୁ ଆନ୍ଧ୍ର ରାଜ୍ୟ ଜଳକର ଆଦାୟ କରିବ ଏବଂ ସମ୍ପୃକ୍ତ ଜଳସେଚନ ପ୍ରକଳ୍ପ ଗୁଡିକର ରକ୍ଷଣା ବେକ୍ଷଣ ପାଇଁ ନିର୍ଦ୍ଧିଷ୍ଟ ହାରରେ ଦେୟ ଓଡିଶା ସରକାରଙ୍କୁ ପ୍ରତିବର୍ଷ ପ୍ରଦାନ କରିବାକୁ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ଆନ୍ଧ୍ରକୁ ଓଡିଶାର ଉକ୍ତ ପ୍ରକଳ୍ପରୁ ନିୟମିତ ଜଳ ଯୋଗାଣ ଅବ୍ୟାହତ ଥିଲେ ସୁଦ୍ଧା ଆନ୍ଧ୍ର ବୁଝାମଣା ଅନୁସାରେ ରକ୍ଷଣା ବେକ୍ଷଣ ଦେୟ ପୈଠ କରୁନାହିଁ । ଏ ବାବଦରେ କୋଟି କୋଟି ଟଙ୍କା ବକେୟା ରହିଥିବା ଆଶଙ୍କା କରାଯାଉଛି । ପାରଳାଖେମୁଣ୍ଡି ତହସିଲଦାର ଚେରୁଗୁଡି ଖାସ୍ପା ମୌଜାର କେତେକ ସିଲିଂ ବହିର୍ଭୂତ ଜମି ଓଡିଶାର ୧୨ଜଣ ଭୂମି ହୀନକୁ ଦିଆଯାଇଥିଲା । ସେହି ଜମି ଉପରେ ଆନ୍ଧ୍ର ଦାବୀ କରିବାରୁ ସେବେ ଠାରୁ ଉକ୍ତ ଜମିକୁ ନେଇ ବିବାଦ ଲାଗି ରହିଛି । ମାମଲା ସିଭିଲ କୋର୍ଟରେ ବିଚାର ପାଇଁ ଦାୟର ହୋଇଥିଲା । ସେହି ମାମଲାର ସ୍ଥିତି କଣ ତାହା ସରକାର ସ୍ପଷ୍ଟ କରିବା ଉଚିତ କିନ୍ତୁ ଏ ପର୍ଯ୍ୟନ୍ତ ସମ୍ପୃକ୍ତ ଓଡିଶାର ଭୂମୀହୀନ ସେହି ୧୨ଜଣ ଚାଷୀ ସମ୍ପୃକ୍ତ ଜମିରୁ ବଞ୍ôଚତ ହୋଇ ରହିଥିବା ଜଣାଯାଏ । ତେଣୁ ସରକାର ଯଥା ଶୀଘ୍ର ଏହି ବିଷୟରେ ଅନୁସନ୍ଧାନ କରି ଆବଶ୍ୟକୀୟ ପଦକ୍ଷେପ ନେବା ପୂର୍ବକ ଓଡିଶାର ସ୍ୱାର୍ଥ ଓ ଓଡିଶା ସ୍ୱାଭିମାନକୁ ରକ୍ଷା କରିବାକୁ ଉତ୍କଳ ସମ୍ମିଳନୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏକ ଖବରଦାତା ସମ୍ମିଳନୀରେ ଏହି ସମସ୍ତ ସୂଚନା ପ୍ରଦାନ କରିଛନ୍ତି । ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗୌରଚନ୍ଦ୍ର ପଣ୍ଡା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା, ଆଶାଲତା ପାଣିଗ୍ରାହୀ, ଜଗଦୀଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ