ସୀମାନ୍ତରେ ଅଶାନ୍ତ କରୁଛି ଆନ୍ଧ୍ର, କରୁଛି ରାସ୍ତା ନିର୍ମାଣ କାର୍ଯ୍ୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକ ସିଙ୍ଗିପୁର ନିକଟବର୍ତ୍ତୀ ଏଫସିଆ ଗୋଦାମ ନିକଟରେ ଓଡିଶା ସୀମାନ୍ତରେ ଆନ୍ଧ୍ର ରାସ୍ତା ନିର୍ମାଣକୁ ନେଇ ପୁଣି ଏକ ବିବାଦ ଘନେଇଛି । ଏହା ପୂର୍ବରୁ ରାୟଗଡ ବ୍ଲକ ଗଙ୍ଗାବାଡ ଅଞ୍ଚଳରେ ନିର୍ବାଚନ କରିବା କୁ ଚକ୍ରାନ୍ତରେ ଆନ୍ଧ୍ର ସରକାର ବିଫଳ ହେବାପରେ ଜିଲ୍ଲାରେ ଆଉ ଏକ ସୀମା ବିବାଦ ଦେଖାଦେଇଛି । କାଶୀନଗର ବ୍ଲକ ସ୍ଥିତ ସିଙ୍ଗିପୁର ଏଫ୍ସିଆଇ ଗୋଦାମ ଅଞ୍ଚଳରେ । ଆନ୍ଧ୍ର ପ୍ରଦେଶର ଆଳତୀ ପଞ୍ଚାୟତକୁ ଓଡିଶା ସୀମାରେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ ଆରମ୍ଭ କରୁଛି ଆନ୍ଧ୍ର ପ୍ରଶାସନ । ଆନ୍ଧ୍ର ସୀମାନ୍ତବର୍ତ୍ତୀ ଶ୍ରୀକାକୁଲମ କତ୍ତୁରୁ ମଣ୍ଡଳର ସୀତାମପେଟା ଆଇଟିଡିଏ ପକ୍ଷରୁ ୫ କିମି ରାସ୍ତା ଓଡିଶା ସୀମା ମଧ୍ୟରେ ଆରମ୍ଭ କରିଛି ଆନ୍ଧ୍ର ସରକାର । ଏନେଇ ଓଡିଶା ପ୍ରଶାସନ ସମ୍ପୂର୍ଣ୍ଣ ଅଜ୍ଞଥିବାବେଳେ ଓଡିଶା ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି । ପୂର୍ବରୁ କରୋନା ସଂକ୍ରମଣ ଆଶଙ୍କାର ଆନ୍ତଃରାଜ୍ୟ ଗମନା ଗମନର କଟକଣା ସମୟରେ ଏହି ରାସ୍ତାକୁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଅବରୋଧ କରାଯାଇଥିଲା, ପରବର୍ତ୍ତୀ ସମୟରେ ପୂନର୍ବାର ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିଲା । ଓଡିଶା ସୀମା ମଧ୍ୟରେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ ହୋଇଥିବା ଖବରପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, କାଶୀନଗର ତହସିଲଦାର ଶାନ୍ତିସ୍ୱରୂପ ମିଶ୍ର ଓ ରାଜସ୍ୱ ବିଭାଗ କର୍ମଚାରୀ, ପୋଲିସ କର୍ମଚାରୀ ଘଟଣାସ୍ଥଳ ପରିଦର୍ଶନ କରି ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଗାଡି ଏବଂ ସମସ୍ତ ସାମଗ୍ରିକୁ ଅଟକାଇ ରଖାଯାଇଛି । ଜିଲ୍ଲା ପ୍ରଶାସନ କୌଣସି ଆଲୋଚନା ନକରି ଜୋର ଜବରଦସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆନ୍ଧ୍ର ପ୍ରଶାସନ ପକ୍ଷରୁ କରାଯାଉଥିବା ଗଜପତି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି । ଆନ୍ଧ୍ର ପ୍ରଦେଶର ଆଳତୀ ପଞ୍ଚାୟତବାସୀଙ୍କ ଏହି ରାସ୍ତା ଏକ ମାତ୍ର ନିର୍ଭରଶୀଳ ହୋଇଥିବାରୁ ଓଡିଶା ପ୍ରଶାସନ ସହଯୋଗ କରନ୍ତୁ ବୋଲି ଆଳତୀ ପଞ୍ଚାୟତର ସରପଞ୍ଚ ଆଲେସ୍ପେନୀ ଶବର ଅନୁରୋଧ କରିଥିବା ବେଳେ ବିନା ଅନୁମତିରେ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଥିବାରୁ ଓଡିଶାବାସୀ ଏହାକୁ ବିରୋଧ କରିଛନ୍ତି । ଅନ୍ୟପକ୍ଷରେ ଆନ୍ଧ୍ର ପ୍ରଦେଶ କୌଣସି ଆଲୋଚନା ନକରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏଥିରେ ବ୍ୟବହୃତଗାଡି ଓ ନିର୍ମାଣ ସାମଗ୍ରୀ ଜବତ କରାଯାଇଛି ବୋଲି କାଶୀନଗର ତହସିଲଦାର ଶ୍ରୀ ମିଶ୍ର କହିଛନ୍ତି ।


