ପ୍ରକଳ୍ପ ଅନୁମୋଦନ ପୂର୍ବରୁ ମେସିନ୍ କରୁଛି ମନରେଗା କାମ
କାର୍ଯ୍ୟ ସ୍ଥଳରେ ଲାଗିନି ସୂଚନା ଫଳକ, ଜବ୍କାର୍ଡଧାରୀ ମାନଙ୍କୁ ଉପେକ୍ଷା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଣ୍ଢିଆ ଗ୍ରାମରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟରେ ଅନିୟମିତତା ଅଭିଯୋଗ ହୋଇଛି । ପ୍ରକଳ୍ପ ଅନୁମୋଦ ହେବା ପୂର୍ବରୁ ବିନାଫଳକରେ ମନୋମୁଖୀ କାର୍ଯ୍ୟ କରିବା, ଜବକାର୍ଡଧାରୀ ମାନଙ୍କୁ ଉପେକ୍ଷା କରାଯିବା, ଅଭିଯୋଗ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଚୁପ୍ ରହିବା ଭଳି ଅଭିଯୋଗ ହୋଇଛି । ପ୍ରକାଶ ଯେ, ଅଣ୍ଢିଆ ଗ୍ରାମର ପଦ୍ମପୋଖରୀକୁ ଗତ ୧ ମାସ ତଳେ କେତେକ ମୁଷ୍ଟିମେୟ ବ୍ୟକ୍ତି ଜଳନିଷ୍କାସନ କରାଇ ମେସିନ ସହାୟତାରେ କାର୍ଯ୍ୟ କରୁଛନ୍ତି । ପ୍ରକଳ୍ପ ଅନୁମୋଦନ ପୂର୍ବରୁ ବିନାଫଳକରେ ମେସିନ ସାହାଯ୍ୟରେ ବେଆଇନ ଭାବେ କାର୍ଯ୍ୟ କରାଯାଉଛି । ଫଳରେ ଜବକାର୍ଡଧାରୀ ମାନେ କାମ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏସଂପର୍କରେ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ପ୍ରଶାସନ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଏଭଳି ବେଆଇନ କାର୍ଯ୍ୟ କରାଯାଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଉକ୍ତ କାର୍ଯ୍ୟକୁ୍ ନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଏସଂପର୍କରେ ପୂର୍ବତନ ଜିଲାପରିଷଦ ସଭ୍ୟ ଅନନ୍ତ ଗୋପାଳ ଦାସ, ଧନେଶ୍ୱର ଖଣ୍ଡାଇ, ରବିନ୍ଦ୍ର ବାରିକ, ସତ୍ୟଭାମା ଶଂଖୁଆ, ପ୍ରଭାତ ଚନ୍ଦ୍ର ଶଂଖୁଆ, ମୋନଲିସା ରାଉତ, ମାନିନୀ ନାୟକ, ଧିରେନ୍ଦ୍ର ଜେନାଙ୍କ ସମେତ ବହୁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ, ପଞ୍ଚାୟତରାଜ ସଚିବ, ଜିଲାପାଳ, ପି.ଡି, ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।


