୧୧ ବର୍ଷ ହେବ କାର୍ଯ୍ୟାଳୟରେ ଜଳିନି ବଲ୍‌ବ, ବୁଲିନି ଫ୍ୟାନ୍

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ବର୍ତମାନ ଅନଲାଇନରେ ସମସ୍ତ କାର୍ଯ୍ୟ ହେଉଥିଲା ବେଳେ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ପ୍ରଚାର ଚାଲିଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ସମ୍ବୋଦିତ କରୁଛନ୍ତି । କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କୃଷି ବିଭାଗରେ ଡିଜିଟାଲ ଇଣ୍ଡିଆ ଫେଲ୍ ମାରିଥିବା ଅଭିଯୋଗ ହେଉଛି । ଏହି କାର୍ଯ୍ୟାଳୟରେ ୧୧ବର୍ଷ ହେଲାଣି ବଲ୍‌ବ ଟିଏ ଜଳି ନାହିଁ କି ଫ୍ୟାନ୍ ବୁଲି ନାହିଁ । କର୍ମଚାରୀମାନେ କୃଷି ସମ୍ବନ୍ଧୀୟ କାର୍ଯ୍ୟ କମ୍ପ୍ୟୁଟରରେ କରିବା ପରିବର୍ତେ ମୋବାଇଲ୍ ମାଧ୍ୟମରେ କରୁଥିବା ଦେଖିବାକୁ ମିଳୁଛି । ଏହି ବ୍ଲକର ୧୬ଗୋଟି ପଂଚାୟତର ଜନସାଧାରଣମାନେ ୯୭୦୦ ହେକ୍ଟର ଚାଷ ଜମି ଉପରେ ନିର୍ଭରଶୀଳ । କୃଷି ଓ କୃଷକର ଉନ୍ନତି ପାଇଁ ସବୁ ବ୍ଲକ ପରି ନାଉଗାଁ ବ୍ଳକରେ ୨୦୧୦ ଜୁନ୍ ମାସରେ ଏହି କୃଷି କାର୍ଯ୍ୟାଳୟ କାର୍ଯ୍ୟକାରୀ ହୋଇଛି । ଇତି ମଧ୍ୟରେ ୧୧ବର୍ଷ ବିତିଲାଣି ଅଥଚ ଏହି କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ଗରୁତ୍ୱପୂର୍ଣ୍ଣ କଥା କମ୍ପ୍ୟୁଟରରେ ହେବାକୁ ଥିବା କୃଷି ସମ୍ବନ୍ଧୀୟ କାର୍ଯ୍ୟ କର୍ମଚାରୀମାନେ ବାଧ୍ୟ ହୋଇ ନିଜ ମୋବାଇଲ ମାଧ୍ୟମରେ କରୁଥିବା ଜଣାଯାଇଛି । ଅନ୍ୟପଟରେ ଏହି କାର୍ଯ୍ୟାଳୟରେ ଚାଷୀମାନଙ୍କୁ ଚାଷ ସମ୍ବନ୍ଧୀୟ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଉଛି । ଏପରିକି ଜନସାଧାରଣମାନେ କୃଷି କାର୍ଯ୍ୟ ସଂର୍ପକରେ ବୁଝିବା ପାଇଁ କାର୍ଯ୍ୟାଳୟକୁ ଆସୁଛନ୍ତି । କିନ୍ତୁ କାର୍ଯ୍ୟାଳୟ ପରିସରରେ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ ଉପରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ