୭ମ ବୈଶାଖୀ ମହୋତ୍ସବ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା) : ସମଗ୍ର ବିଶ୍ୱ ଏକ ସଂକଟମୟ ଅବସ୍ଥାରେ ଗତିକରୁଛି । ଧନଧାନ୍ୟ ଆଧୁନିକତା ସମସ୍ତଙ୍କୁ ଉଗ୍ର ଅହଙ୍କାର ଆଡ଼କୁ ଘୋଷାରି ଚାଲିଛି । ପ୍ରତି ବ୍ୟକ୍ତି, ପ୍ରତି ଦେଶ, ପ୍ରତି ମହାଦେଶ ଉପଖଣ୍ଡ ନିଜନିଜର ପରାକ୍ରମ ଦେଖାଇ ଦୁର୍ଭାଗ୍ୟଜନକ ଭାବରେ ଧ୍ୱଂସାମୁଖୀ ହେବାରେ ଲାଗିଛି । ଆମେ ସମସ୍ତ ବିଶ୍ୱବାସୀ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଜୀବନ ଜିଉଛୁ । ଯୁଦ୍ଧର ପ୍ରତିଶବ୍ଦ ମୃତ୍ୟୁ ପାଲଟିଛି ବୋଲି ୭ମ ବୈଶାଖୀ ମହୋତ୍ସବ ଉଦ୍ଘାଟନ ବିଶିଷ୍ଟ କବି ତଥା ରାଜନେତା ଡ. ପ୍ରସନ୍ନ କୁମାର ପାଟଶାଣୀ ମତ ପ୍ରକାଶ କରିଛନ୍ତି । ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ. କୁମରବର ଦାସ ଏଥିରେ ମୁଖ୍ୟବକ୍ତା ଭାବେ ନିଜ ବକ୍ତବ୍ୟରେ ‘ଆମେ ଟେକ୍ନୋକୁଲି ତିଆରି କରିଚାଲିଛେ । କେଉଁ କର୍ପୋରେଟ କଂପାନୀର ସି.ଇ.ଓ. କିମ୍ବା ଭାଇସ୍ ପ୍ରେସିଡେଣ୍ଟ ହୋଇ କେତେ ଲକ୍ଷ, କେତେ କୋଟି ଟଙ୍କାର ପେକେଜ ଦରମାରେ ଚାକିରି କରିଛେ, ଆଖି ପିଛୁଳାକେ ଏଦେଶୁ ସେଦେଶ ହେଉଛେ’ ତ ଏଣେ ବାପା ମା’ଙ୍କ ସେବା ଶୁଶ୍ରୁଷା ପାଇଁ କେହି ଜଣେ ହେଲେ ନାହାନ୍ତି ବୋଲି କ୍ଷୋଭ ସହ ପ୍ରକାଶ କରିଥିଲେ । ‘ବଡ଼ଲୋକ ନୁହଁ ଭଲ ଲୋକ ତିଆରି କରୁ ଆମ ଦେଶ, ବୋଲି ଦୃଢ଼ ସ୍ୱରରେ ପ୍ରତି ମଣିଷକୁ ସେ ଆହ୍ୱାନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ବୈଶାଖୀ ମହୋତ୍ସବର ସଭାପତି ଆଇନଜୀବୀ ଅଶୋକ କୁମାର ସେନାପତି ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି କବି ଶ୍ରୀଦେବ ସଭାକାର୍ଯ୍ୟ ପରିଚାଳନା କରିଥଲେ । ସାଧାରଣ ସମ୍ପାଦକ ଭାଗବତ ସାହୁ ବିବରଣୀ ଉପସ୍ଥାପନ କରିବାଥିଲେ । ଏହି ଅବସରରେ ବୈଶାଖୀ ମହୋତ୍ସବର ୭ମ ସଂସ୍କରଣ ସ୍ମରଣିକା ‘ବୈଶାଖୀ’ ଅତିଥିମାନେ ଲୋକାର୍ପଣ କରିଥିଲେ । ଏଥିରେ ଇଞ୍ଜିନିୟର, ନାଟ୍ୟକାର, ସଂଗୀତକାର ଡ. ନନ୍ଦଦୁଲାଲ୍ ଘଡ଼ାଇ ବକ୍ତବ୍ୟ ରଖିବା ସହ ବଂଶୀ ବାଦନ କରିଥିଲେ । ନବନିର୍ବାଚିତ ସମିତି ସଦସ୍ୟ ସୂର୍ଯ୍ୟକୁମାର ମିଶ୍ର ତାଙ୍କ ଅଞ୍ଚଳର ସାମଗ୍ରୀକ ଉନ୍ନତି ପାଇଁ ନିଜର ପ୍ରତିଶ୍ରୁତି ରଖିଥିବା ସହ ଦଳ ମତ ନିର୍ବିଶେଷରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଶାଖୀ ମହୋତ୍ସବର ଉପ-ସଭାପତି ପୂର୍ବତନ ସରପଞ୍ଚ ନରେନ୍ଦ୍ର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


