ତେଲଙ୍ଗାସାହିରେ ନିଷ୍କାସନ ବ୍ୟବସ୍ଥା ଶୋଚନୀୟ : ସଫେଇ ପାଇଁ ଦାବି
ବାଲେଶ୍ୱର, (ସରୋଜ ପଣ୍ଡା) :-ଦୀର୍ଘ ସାଢ଼େ ୩ ବର୍ଷ ପରେ ନିକଟ ଅତୀତରେ ପୌର ନିର୍ବାଚନ ଶେଷ ହୋଇଥିବା ବେଳେ ବିଭିନ୍ନ ସମସ୍ୟାର ସାମାଧାନରେ ନବଗଠିତ ପରିଷଦକୁ ନେଇ ସହରବାସୀ ବେଶ ଆଶାବାଦୀ ଅଛନ୍ତି । ତେବେ ଅନ୍ୟାନ୍ୟ ସମସ୍ୟା ତୁଳନାରେ ବାଲେଶ୍ୱର ପୌରାଞ୍ଚଳର ଅବ୍ୟବସ୍ଥିତ ନିଷ୍କାସନ ସ୍ଥିତିର ସୁଧାର ପାଇଁ ଲୋକେ ସ୍ଥାନୀୟ କାଉନସିଲରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି । ସହରର ବିଭିନ୍ନ ସ୍ଥାନରେ ଜବରଦଖଲ ଯୋଗୁଁ ସଙ୍କୁଚିତ ମହାନାଳ ଓ ଶାଖାନାଳର ପୁନରୁଦ୍ଧାର ତଥା ସଫେଇକୁ ଗୁରୁତ୍ୱ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ପୌରାଞ୍ଚଳରେ ପ୍ରାୟ ପ୍ରତ୍ୟେକ ୱାର୍ଡ଼ରେ ଏହି ସମସ୍ୟା ଲାଗି ରହିଥିବା ବେଳେ ୨୦ ନଂର ୱାର୍ଡ଼ର ନିଷ୍କାସନ ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ଏହି ୱାର୍ଡ଼ର ତେଲେଙ୍ଗା ସାହି ସତ୍ୟସାଇ ମନ୍ଦିର ପାଶ୍ୱର୍ ନାଳ ଦୀର୍ଘଦିନରୁ ସଫେଇ ହୋଇ ନଥିବା ସ୍ଥାନୀୟ ଲୋକେ ଆରୋପ କରିଛନ୍ତି । ଏହି ନାଳ ଦେଇ ଅଙ୍ଗାରଗଡ଼ିଆ ତଥା ଏହାର ଉତ୍ତର ପାଶ୍ୱର୍ ଅଞ୍ଚଳର ଜଳ ନିଷ୍କାସିତ ହୋଇ ମହାନାଳରେ ମିଶିଥାଏ । ମାତ୍ର ନାଳ ପୋତିଯିବା ଯୋଗୁଁ ଗତବର୍ଷ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ଚାଲିବା ସହ ଲୋକଙ୍କ ଘରେ ମଧ୍ୟ ପଶିଥିଲା ।ଏନେଇ ଲୋକେ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ବି କରିଥିଲେ । ମାତ୍ର ଅଦ୍ୟାବଧି ଏହି ନାଳ ସଫେଇ ହୋଇପାରି ନଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ଇତିମଧ୍ୟରେ ପୌର ନିର୍ବାଚନ ଶେଷ ହୋଇ ନୂତନ ପରିଷଦ ଦାୟିତ୍ୱ ମଧ୍ୟ ଗ୍ରହଣ କରିସାରିଲେଣି । ବର୍ଷାଋତୁକୁ ଆଉ ଦୁଇମାସ ବାକି ରହିଥିବା ବେଳେ ଏହି ସମୟ ମଧ୍ୟରେ ଏ ଅଞ୍ଚଳର ପୋତି ଯାଇଥିବା ନାଳକୁ ତୁରନ୍ତ ସଫେଇ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ନତୁବା ଗତବର୍ଷ ଭଳି ବର୍ଷା ଦିନରେ ଲୋକଙ୍କ ଘରେ ନର୍ଦ୍ଦମା ପାଣି ପଶିବା ନିଶ୍ଚିତ ବୋଲି ଏବେଠାରୁ ସେମାନେ ଆଶଙ୍କା ପ୍ରକାଶ କଲେଣି ।


