ଚାଏ ବାଲା ଓ ଚାଷୀଙ୍କ ନିର୍ଣ୍ଣାୟକ ଲଢେଇ ହେବ;ଲୋୟର ପିଏମ୍ଜିରେ ନବନିର୍ମାଣ ସଂଗଠନର ଧାରଣା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍କୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଦିଆଯାଇଥିବା ସର୍ବଭାରତୀୟ ଧାରଣାର ଡ଼ାକରା ଅନୁଯାୟୀ ଆଜି ନବନିର୍ମାଣ କୃଷକ ସଂଗଠନ ତରଫରୁ ଲୋୟର ପିଏମ୍ଜିରେ ଶାନ୍ତିପୂର୍ଣ୍ଣ ଧାରଣା ଅନୁଷ୍ଠିତ ହୋଇଯାଇଛି । ଧାରଣାକାରୀଙ୍କୁ ସମ୍ବୋଧିତ କରି ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଲେ ଯେ, କେନ୍ଦ୍ର ସରକାର ଯେଉଁ ନୂତନ କୃଷି ବିରୋଧୀ କଳା ଆଇନ୍ ଆଣିଛନ୍ତି, ଏହା କୃଷକ ସମାଜର ସର୍ବନାଶ କରିବ । ଏହି ବିଲ୍ ବଳରେ କର୍ପୋରେଟମାନେ କୃଷି କ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିବେ । ଖାଲି ଏତିକି ନୁହେଁ, ଭବିଷ୍ୟତରେ ବଡ଼ ବଡ଼ କର୍ପୋରେଟ ସହ ବ୍ୟବସାୟରେ ପ୍ରତିଦ୍ୱନ୍ଦିତାରେ ଚାଷୀମାନେ ବିଫଳ ହୋଇ ଚାଷ ଛାଡ଼ି ନିଜ ଜମିରେ ମୂଲିଆ ହୋଇଯିବେ । ଦେଶର ବହୁ ଅମୂଲ୍ୟ ସମ୍ପତ୍ତିକୁ ଶାଗମୁଗ ଦରରେ ନିଜ ବନ୍ଧୁ ଅମ୍ବାନୀ ଓ ଅଦାନୀକୁ ଟେକି ଦେଉଥିବା ନରେନ୍ଦ୍ର ମୋଦି ଏବେ ତାଙ୍କ ଦୁଇବନ୍ଧୁଙ୍କ ହାତକୁ ସାରା ଭାରତର କୃଷିକ୍ଷେତ୍ରକୁ ଟେକିଦେବା ଜଘନ୍ୟ ଷଡ଼ଯନ୍ତ୍ର କରିଛନ୍ତି । ଏହି ଷଡଯନ୍ତ୍ର ବିରୁଦ୍ଧରେ ଆଜିର ସର୍ବଭାରତୀୟ ଧାରଣା ଦିଆଯାଇଛି । ଶ୍ରୀ ନନ୍ଦ କହିଲେ ଯେ, ଏ ଲଢେଇ ଚାଏ ବାଲା ମୋଦି ଓ ଚାଷୀଙ୍କ ମଧ୍ୟରେ । ଲଢେଇ ଶେଷରେ ଚାଷୀ ଜିତିବେ ଓ ନରେନ୍ଦ୍ର ମୋଦି, ଅମିଚ ଶାହା ଦିଲ୍ଲୀରୁ ତଡ଼ିପାର୍ ହେବେ । ସୂଚନା ଅଧିକାର ଆନ୍ଦୋଳନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ନିଶାମୁକ୍ତି ଆନ୍ଦୋଳନର ପ୍ରିୟନାଥ ଆଚାର୍ଯ୍ୟ, ବସ୍ତିନେତା ପ୍ରତାପ ସାହୁ ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ୍ ଥିଲେ । ଜନ ଆନ୍ଦୋଳନ ନେତା ତପନ ମିଶ୍ର ବୈପ୍ଲବିକ ସଙ୍ଗୀତ ଗାନ କରିଥିଲେ । ସଂଗଠନର ଯାଜପୁର ସଂଯୋଜକ ଦୁର୍ଗା ପ୍ରସାଦ ଦାସ ଓ ରାଜ୍ୟ କମିଟି ସଭ୍ୟ ମଧୁମିତା ସାମଲ କହିଲେ ଯେ, ଚାଷୀମାନେ ଏହି ଆନ୍ଦୋଳନରୁ କେବେ ବି ହଟିବେ ନାହିଁ । ଗୋଟେ କୃଷିପ୍ରଧାନ ଦେଶରେ କୃଷି ବିରୋଧୀ ପଦକ୍ଷେପ ନେବାକୁ ଏନ୍ଡ଼ିଏ ସରକାରର ଦୁଃସାହସ ଆଶ୍ଚର୍ଯ୍ୟଜନକ । ଦେଶର ଅନ୍ନଦାତା ବିଲ୍ ନେଇ ନିଜର ସଂଶୟ ନେଇ ଦିଲ୍ଲୀରେ ଆଠଦିନ ପଡ଼ି ରହିଥିବା ବେଳେ ଚାଷୀଙ୍କ ଭାତ ଓ ଭୋଟରେ ଚଳୁଥିବା ରାଜନେତାମାନେ ଅହଂକାର କରି ଚାଷୀମାନଙ୍କର ଧୈର୍ଯ୍ୟ ପରୀକ୍ଷା କରିବା ଦୁଃଖଦାୟକ । ଏହାର ପରିଣତି ଅତ୍ୟନ୍ତ ବିଷମୟ ହେବ । ଆଗାମୀ ଦିନରେ ଦୁର୍ବାର ଚାଷୀ ଆନ୍ଦୋଳନ ସରକାରଙ୍କୁ କକ୍ଷଚ୍ୟୁତ କରିବ । ଯେପର୍ଯ୍ୟନ୍ତ କଳା କୃଷି ବିଲ୍ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନହୋଇଛି, ସେପର୍ଯ୍ୟନ୍ତ ଏ ଲଢେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିବ ବୋଲି କହିଥିଲେ । ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରାଜ୍ୟ କମିଟି ସଭ୍ୟ ସୁରେନ୍ଦ୍ରନାଥ ମହାରଣା, ବନବିହାରୀ ସେଠ, ଦ୍ରୋଣାଚାର୍ଯ୍ୟ, ଚିତ୍ତରଞ୍ଜନ ନନ୍ଦ, ଜୟକୃଷ୍ଣ ବସ୍ତିଆ, ସଦାନନ୍ଦ ମହାନ୍ତି, ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।


