ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୫ ଶଯ୍ୟା ବିଶିଷ୍ଟ କୋଭିଡ ୱାର୍ଡ଼ ପ୍ରସ୍ତୁତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରରେ ସମ୍ଭାବ୍ୟ କୋଭିଡ ମୁକାବିଲା ପାଇଁ ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ପକ୍ଷରୁ ମିଳିତ ଭାବେ ଏକ ମକଡ୍ରିଲ ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଦତାତ୍ରୟ ଭାଓସାହେବ ଶିନ୍ଦେ ମୁଖ୍ୟ ଚିକିତ୍ସାଳୟ ସ୍ୱତନ୍ତ୍ର କୋଭିଡ-୧୯ ୱାର୍ଡ଼ ପ୍ରସ୍ତୁତିକୁ ଅନୁଧ୍ୟାନ କରିଛନ୍ତି । ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମକଡ୍ରିଲ ପାଇଁ ନିର୍ଦ୍ଦେଶ ଦିଆଇଥିଲା । ସେହିକ୍ରମରେ ଜିଲା ସ୍ୱାସ୍ଥ୍ୟ ବିଭାଗ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ସାମ୍ପ୍ରତିକ ସ୍ଥିତିରେ ଜିଲ୍ଲାରେ କୋଭିଡ ସ୍ଥିତି ସ୍ୱଭାବିକ ଥିବା ବେଳେ ଏଯାଏଁ କେହି ସଂକ୍ର୍ରମିତ ହୋଇ ନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଥିବା କୋଭିଡ ହସ୍ପିଟାଲ ପ୍ରଥମ ପର୍ଯ୍ୟାୟରେ୨୫ଟି ବେଡ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଥିବା ବେଳେ ସେଥିପାଇଁ ଅକ୍ସିଜେନ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ସେହିଭଳି ଭେଣ୍ଟି ଲେଟର ସହ ଆବଶ୍ୟକୀୟ ଔଷଦ ମଧ୍ୟ ପ୍ରସ୍ତୁତ ରହିଛି । ଯଦି ଆବଶ୍ୟକ ପଡ଼େ ଅଧିକ ଷ୍ଟାଫ ସହ ୧୦୦ଟି ବେଡକୁ ପ୍ରସ୍ତୁତ କରାଯିବ ବୋଲି ଜିଲାପାଳ ଶ୍ରୀ ଶିନ୍ଦେ ସୂଚନା ଦେଇଛନ୍ତି । ଆଜିର ମକଡ୍ରିଲ ସମୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳ ସେନ ଜଗଦ୍ଦେବ, ଫକୀର ମୋହନ ମେଡିକାଲ କଲେଜ ଅଧୀକ୍ଷକ ଡାକ୍ତର ନିର୍ମଳ ଚନ୍ଦ୍ର ସାହାଣୀ, ପ୍ରଶାସନିକ ଅôଧିକାରିଣୀ ମନୋରମା ଭୂୟାଁଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


