ଶ୍ରମିକ ନେତା ଯୋଗେନ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ସ୍ମୃତିସଭା
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଅନ୍ୟତମ ବିଶିଷ୍ଟ ସଂଗଠକ ତଥା ଶ୍ରମିକ ନେତା ଯୋଗେନ ଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ମଙ୍ଗଳବାର ପାଳିତ ହୋଇଯାଇଛି । ଆୟୋଜିତ ସ୍ମୃତିସଭାରେ ଆଇନଜୀବୀ ବିଜୟ ପାଣିଗ୍ରାହୀ ସଭାପତିତ୍ୱ କରିବା ସହିତ ସ୍ୱର୍ଗତ ଦାସଙ୍କ ବହୁବିଦ୍ଧ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ବାଲେଶ୍ୱର ବାର ଆସୋସିଏସନର ସଭାପତି ମନୋଜ କୁମାର ନାୟକ, ସ୍ୱର୍ଗତ ଦାସଙ୍କ ପତ୍ନୀ ମିନତୀ ଦାସ, ବରିଷ୍ଠ ଆଇନଜୀବୀ ଶରତ ମହାପାତ୍ର ଓ ଶମ୍ଭୁନାଥ ମହାନ୍ତି, ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଜୀବନାଦର୍ଶ ଓ ସମାଜର ଅବହେଳିତ ବର୍ଗଙ୍କ ହକ ପାଇଁ ଜୀବନବ୍ୟାପୀ ଜାରି ରଖିଥିବା ସଂଗ୍ରାମ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଶାନ୍ତନୁ ଦାସ, ଶ୍ରମିକନେତା ଶ୍ୟାମସୁନ୍ଦର ଜେନା, ଅଧ୍ୟାପକ ଡ. ଅଭୟ ଦାସ, ସ୍ୱର୍ଗତ ଦାସଙ୍କ ପୁତ୍ର ବିଭୂବେନ୍ଦ୍ର ଦାସ, ନିରଂଜନ ପରିଡ଼ା, ସୁରେନ୍ଦ୍ର ପଣ୍ଡା, ବଂଶୀଧର ବେହେରା, କୈଳାସ ନାୟକ, ନବ କୁମାର ବାରିକ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ବହୁବିଦ୍ଧ ପ୍ରତିଭା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ୱର୍ଗତ ଦାସଙ୍କ ଭଣଜା ତାପସ ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


