ଦୃଷ୍ଟି ଅଢୁଆଳରେ ୧୦୮ମାହଦେବ ପୀଠ ; ଭୋଳେଶ୍ୱର ମହାଦେବ ମନ୍ଦିର ପୂର୍ଣ୍ଣାଙ୍ଗ ପାଇଁ ସହାୟତା ଲୋଡା
ବାରିକପୁର, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା କଲ୍ୟାଣପୁର ନିକଟ ବଡନପଙ୍ଗ ଗାଁ ପାଶ୍ୱର୍କୁ ଲାଗି ରହିଥିବା ଭୋଳେଶ୍ୱର ମନ୍ଦିର ପୀଠ ସ୍ଥାନୀୟ ଜନସାଧାରଙ୍କ ଧର୍ମୀୟ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଅଟେ । ଉକ୍ତ ପୀଠର ବିଶେଷତ୍ୱ ହେଲା ଏଠାରେ ୧୦୮ ଶିବଲିଙ୍ଗ ପ୍ରତିଷ୍ଠା ହୋଇଥିବାବେଳେ ପାତାଳି ହରପାର୍ବତୀ ମଧ୍ୟ ରହିଛନ୍ତି । ଏହାଛଡା ନନ୍ଦି,ଭୁନ୍ଦି, ଗଙ୍ଗା, ଜମୁନା, ସରସ୍ୱତୀ, ଲକ୍ଷ୍ମୀ, ଅର୍ଣ୍ଣପୂର୍ଣ୍ଣା, ମଙ୍ଗଳା, ବ୍ରହ୍ମା, ବିଣ୍ଣୁ, ମହେଶ୍ୱର, ଇନ୍ଦ୍ର, କୁବେର, ବରୁଣ, ଜଗନ୍ନାଥ, ନୀଳମାଧବଙ୍କ ସହିତ ନବଗ୍ରହ ମଧ୍ୟ ଏଠାରେ ପୂଜା ପାଉଛନ୍ତି । ଭୋଳେଶ୍ୱର ପୀଠଟି ପୂର୍ବରୁ ପ୍ରାୟତଃ ଅବହେଳିତ ଅବସ୍ଥାରେ ଥିବାବେଳେ ବାବା ବଟକୃଷ୍ଣ ଦାସ ଏଠାରେ ରହିବା ପରେ ଏହାର ପାଶ୍ୱର୍ ଉନ୍ନତିକରଣ କାର୍ଯ୍ୟ ଧିରେଧିରେ ବୃଦ୍ଧି ପାଇଥିଲା । ବାବା ଶ୍ରୀଦାସଙ୍କ ଘର କଟକ ଜିଲ୍ଲା ହୋଇଥିବାବେଳେ ସେ ପୁରୀରେ ବସବାସ କରୁଥିଲେ । ୧୯୮୮-୮୯ ମସିହାରେ ସେ ଗଙ୍ଗାସାଗର ମେଳା ଦେଖିବାକୁ ଯାଇ ଫେରିବା ବାଟରେ ସ୍ୱର୍ଗତ ଅଲେଖ ବାବା ରଘୁନାଥ ଦାସଙ୍କ ପରାମର୍ଶ କ୍ରମେ ସେ ଏଠାରେ ଥିବା ଅଲେଖ ମହିମା ଆଶ୍ରମ ଠାରେ ରହିଯାଇଥିଲେ । ପରେପରେ ବଟକୃଷ୍ଣ ପାଶ୍ୱର୍ରେ ଥିବା ଭୋଳେଶ୍ୱର ମନ୍ଦିର ପୀଠର ଉନ୍ନତିକରଣ ପାଇଁ ଦୀର୍ଘ ୩୦ବର୍ଷ ହେବ ତନ, ମନ, ଧନକୁ ବିନିଯୋଗ କରିଛନ୍ତି । ବାବାଙ୍କୁ ବନ୍ତ, ଆଗରପଡା, ଭଦ୍ରକ, କଟକ, ଯାଜପୁର ସହିତ ସ୍ଥାନୀୟ ଶ୍ରଦ୍ଧାଳୁ ମାନେ କିଛି ଆର୍ଥିକ ସାହାର୍ଯ୍ୟ କରଥିବାବେଳେ ସେ ଏହାକୁ ସୁବିନିଯୋଗ କରି ପୀଠର ଆଧ୍ୟତ୍ମିକ ପରିବେଶକୁ ଗୌରବାନିତ୍ୱ କରିପାରିଛନ୍ତି । ଗତ ଚାରିମାସ ପୂର୍ବରୁ ବାବାଙ୍କର ଏକ ଅସ୍ତ୍ରପଚାର ହୋଇ ଗୋଟିଏ ଗୋଡ କଟିଯାଇଥିଲେ ସୁଦ୍ଧା ପୀଠର ଉନ୍ନତି ପାଇଁ ପୂର୍ବଭଳି ଦୃଢ ରହିଛି । ଏଠାରେ ୧୦/୧୨ବର୍ଷ ହେବ ଅଖଣ୍ଡ ଧ୍ୱନୀ ଲାଗିଥିବାବେଳେ ନୂତନ ଭାବେ ନିର୍ମାଣ ହେଉଥିବା ମନ୍ଦିର ପୂର୍ଣ୍ଣାଙ୍ଗ ପାଇଁ ଏବେ ଆର୍ଥିକ ଅସୁବିଧା ଦେଖାଦେଇଛି । ଦୁଇଗୋଟି ଗାଁର ମଧ୍ୟସ୍ଥଳରେ ଥିବା ଉକ୍ତ ସ୍ଥାନକୁ ଗମନାଗମନ, ପାନୀୟଜଳ, ବିଦ୍ୟୁତ ବ୍ୟବସ୍ଥା ରହିଥିଲେ ସୁଦ୍ଧା ତାହା ଏତେଟା ଉନ୍ନତମାନର ନୁହେଁ । ପୀଠର ସର୍ବାଙ୍ଗ ସୌନ୍ଦର୍ଯ୍ୟକରଣ ପାଇଁ ସରକାରୀ ସହାୟତାର ଆବଶ୍ୟକତା ଥିବାବେଳେ ଏହା ଉପରେ ଏବେ କାହାରି ଦୃଷ୍ଟି ପଡିନଥିବା ଜଣାପଡିଛି । ସେ ଯାହାବି ହେଉ ୧୦୮ ଲିଙ୍ଗ ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରସିଦ୍ଧଲାଭ କରିଥିବା ଭୋଳେଶ୍ୱର ପୀଠର ଉନ୍ନତିକରଣ କାର୍ଯ୍ୟ ଯଦି ଜିଲ୍ଲା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ହାତକୁ ଯାଏ ତାହେଲେ ଭବିଷ୍ୟତରେ ଏହା ଏକ ପର୍ଯ୍ୟଟନ କ୍ଷେତ୍ର ହୋଇପାରିବ ଏଥିରେ ସନ୍ଦେହ ନାହିଁ ।


