ଭଗ୍ନ ଅବସ୍ଥାରେ କରନାଳ, ବିଲକୁ ଯାଉନି ପାଣି
ବାରିକପୁର, (ଦୁର୍ଯ୍ୟୋଧନ ଲେଙ୍କା): ଚାଷଜମିରେ ସୁଚାରୁ ରୂପେ ଜଳ ଆବଣ୍ଟନ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି କରନାଳ ନିର୍ମାଣ କରିଥିବାବେଳେ ତାର ସ୍ଥାୟୀତ୍ୱ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭଦ୍ରକ କାଡା ବିଭାଗ ପକ୍ଷରୁ ଶାଳନ୍ଦୀ ଓ ବୈତରଣୀ କମାଣ୍ଡ ଭାବେ ଦୁଇଗୋଟି କ୍ଷେତ୍ର ପ୍ରସ୍ତୁତ କରାଯାଇଛି । ଏଥିରେ ଜିଲ୍ଲା ତମାମ କରନାଳ ନିର୍ମାଣ ହୋଇଥିବାବେଳେ ତାହା ଏବେ ଅନେକ ସ୍ଥାନରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ବର୍ଷା ଅଭାବ ସମୟରେ କୃଷି କ୍ଷେତ୍ରକୁ କେନାଲ ଜଳ ଯାଇ ପାରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ବୟାବନାପୁର ମୌଜାରେ କାଡା ଅବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ବର୍ଷେ ଦୁଇବର୍ଷ ମଧ୍ୟରେ ଏଠାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ କରନାଳ ନିର୍ମାଣ ହୋଇଥିଲେ ସୁଦ୍ଧା ତାହା ଏବେ ଭାଙ୍ଗିରୁଜି ଗଲାଣି ।ଅନେକ ସ୍ଥାନରେ ନାଳ ମଧ୍ୟ ସଫା ହୋଇପାରୁନଥିବା ଅଭିିଯୋଗ ହେଉଛି । ଏବେ ପ୍ରାୟତଃ ବର୍ଷା ଉଭାନ ହୋଇଯାଇଥିବାବେଳେ ପାଶ୍ୱର୍ରେ ଥିବା କେନାଲ ଉପରେ ନିର୍ଭର କରି କୃଷକ ମାନେ ଚାଷକାର୍ଯ୍ୟ ଆରମ୍ଭ କରିଛନ୍ତି । ପରିତାପର ବିଷୟ କରନାଳରେ ପାଣି ଆସିବା ପୂର୍ବରୁ ତାହା ନଷ୍ଟ ହୋଇଯାଇଥିବାରୁ ଚାଷଜମି ଏବେ ଶୁଖିଲା ପଡିଛି । ଏପରିସ୍ଥଳେ ବିଭାଗୀୟ ଅଧିକାରୀ ଭଗ୍ନ କରନାଳ ଉପରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଦୃଢ ଦାବି କରିଛନ୍ତି ।


